Site icon ଆଜିକାଲି

ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଆଜି ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି

ପୁରୀ : ଆଜି ଅନବସରର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ । ସୁନା କୂଅରୁ ତିନି ଗରା ଜଳ ସୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଆଜି ଶ୍ରୀ ଜୀଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୁଦ୍ଧସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ । ଏଥିସହ ଦଇତାପତିମାନେ ଶ୍ରୀଜୀଉଙ୍କ ଶ୍ରୀପୟର ମୁଦା ନୀତି ସମ୍ପାଦନ କରିବେ । କାଲି ମଧ୍ୟ ଦତ୍ତ ମହାପତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ପରେ ଖଡ଼ି ଆସି ଖଡି ଲାଗି ନୀତି ଅନୁଷ୍ଠିତ ହେବ।

ଆସନ୍ତା ୧୯ରେ ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ନିମନ୍ତେ ୩ଘଣ୍ଟା ସମୟ ରହିଛି। ସକାଳ ୮ଟାରୁ ତାଟି ଫିଟିବା ପରେ ଏକ ଘଣ୍ଟା ପାଇଁ ପରିମାଣିକ ବା ଟିକେଟ ଦର୍ଶନ, ପରେ ୯ଟାରୁ ୧୧ଟା ଦୁଇଘଣ୍ଟା ସର୍ବ ସାଧାରଣ ଦର୍ଶନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଥିବା ବେଳେ ଚତୁର୍ଦ୍ଦଶୀରେ ଶ୍ରୀଜୀଉ ମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ। ଖଳିଲାଗି ଏକାଦଶୀରେ ଦଶମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ପତି ମହାପାତ୍ର ଓ ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଦାରୁ ବିଗ୍ରହଙ୍କ ସୁସ୍ଥ ଖବର ଜଣାଇଥିଲେ। ତା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ପ୍ରସାଦ ପ୍ରଦାନ କରିଥିଲେ।

Exit mobile version