Site icon ଆଜିକାଲି

ଆଜି ଛତିଶା ନିଯୋଗ ବୈଠକ, ପୁରୀ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅପରାହ୍ନ ୫ଟାରେ

ପୁରୀ : ଆଜି ଛତିଶା ନିଯୋଗ ବୈଠକ। ପୁରୀ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅପରାହ୍ନ ୫ଟାରେ ବୈଠକ ବସିବ। ବୈଠକରେ ମୁଖ୍ୟତଃ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇପାରେ ।

ଗତ ୮ ତାରିଖରେ ଅନୁଷ୍ଠିତ ନୀତି ସବ୍ କମିଟି ବୈଠକରେ ପହିଲି ଭୋଗ ,ଧନୁ ସଂକ୍ରାନ୍ତି ନେଇ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିବ।ନୀତି ସବ୍ କମିଟି ବୈଠକ ନିଷ୍ପତି ଅନୁଯାୟୀ ଆସନ୍ତା ଡିସେମ୍ବର ୧୬ରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ପହିଲି ଭୋଗ ସମୟରେ ରାତ୍ର ୨ଟା ରେ ଶ୍ରୀମନ୍ଦିର ଦ୍ଵାର ଫିଟିବ ।

ନୂଆବର୍ଷ ଗହଳି ପାଇଁ ୩୧ ତାରିଖ ରାତି ଓ ଯାତ୍ରୀ ପରିକ୍ରମା ପ୍ରକଳ୍ପ ଓ ଧନୁ ସଂକ୍ରାନ୍ତି ପାଇଁ ୧୬ ତାରିଖ ରାତିରେ ଆବଶ୍ୟକ ପଡ଼ିଲେ ରାତ୍ର ପହୁଡ଼ ହେବ ନାହିଁ। ଜାନୁୟାରୀ ୧ ତାରିଖରୁ ପାନ ,ଗୁଟଖା ବନ୍ଦ ଓ ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ନିୟମକୁ ଲାଗୁ କରାଯିବ ।

ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଉତ୍ତର ଦ୍ଵାରରେ ରାମ୍ପ୍ ବ୍ୟବସ୍ଥା କରାଯିବ । ଛତିଶା ନିଯୋଗ ବୈଠକରେ ଜାନୁୟାରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଜିଲ୍ଲାପାଳ,ଏସପିଙ୍କ ସହ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ।

Exit mobile version