Site icon ଆଜିକାଲି

ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୁଡାନ୍ତ

ପୁରୀ : ସରିଲା ଛତିଶା ନିଯୋଗ ବୈଠକ । ଆସନ୍ତା ୩୦ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଚୁଡାନ୍ତ କରିଛି ଛତିଶା ନିଯୋଗ। ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ସରିବ ସେନେଇ ଛତିଶା ନିଯୋଗ ସେବାୟତ ସଦସ୍ୟଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ନୀତି କାନ୍ତି ଥିବାରୁ ଏହାକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି।

ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କୁ କେବଳ ସିଂହଦ୍ଵାରରେ ପ୍ରବେଶ ଅନୁମତି ଥିବାରୁ ଭକ୍ତ ଓ ସହରବାସୀ କଲବଲ ହେଉଛନ୍ତି। ତେଣୁ ଭକ୍ତମାନଙ୍କୁ ଚାରି ଦ୍ଵାରରେ ପ୍ରବେଶ ପାଇଁ ଅନୁମତି ମିଳୁ ବୋଲି ବୈଠକରେ ଦାବି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ଏନେଇ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ଖୁବଶୀଘ୍ର ଭକ୍ତ ମାନଙ୍କୁ ଚାରି ଦ୍ଵାରରେ ପ୍ରବେଶ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ସେବାୟତ। ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି।

Exit mobile version