Site icon ଆଜିକାଲି

ଡାକୋଟାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଭୁବନେଶ୍ବର ବିମାନବନ୍ଦର ପରିସରରେ ଲୋକାର୍ପିତ ହେଲା ବିଜୁବାବୁଙ୍କ ପ୍ରିୟ ଡାକୋଟା ଡିସି-୩ (ଭିଟି-ଏୟୁଆଉ) ବିମାନ । ବିଜୁବାବୁଙ୍କ ସାହସ ଓ ବୀରତ୍ବର ପ୍ରତୀକ ‘ଡାକୋଟା’ ବିମାନକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ବିମାନକୁ ଆଜି ସର୍ବସାଧାରଣଙ୍କ ପାଇଁ, ଓଡ଼ିଆ ମାନଙ୍କ ପାଇଁ ଓ ସାରା ଦେଶ ବାସୀଙ୍କ ପାଇଁ ସମର୍ପିତ କରିଛନ୍ତି। ଭୁବନେଶ୍ବର ବିମାନବନ୍ଦର ପରିସରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି ‘ଡାକୋଟା’ ବିମାନ । ବିମାନବନ୍ଦର ପରିସର ଟର୍ମିନାଲ୍‌-୧ ଆଗରେ ୧.୧ ଏକର ଜାଗାରେ ଶୋଭା ପାଉଛି ବିଜୁଙ୍କ ଡାକୋଟା ।

ସୂଚନା ଯେ, ଏହି ବିମାନ କଲିକତା ବିମାନ ବନ୍ଦର ରେ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନ ବନ୍ଦରକୁ ଅଣା ଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆ ରୂପରେ ପ୍ରଦର୍ଶନ କରାଯାଇଛି। ଏହି ବିମାନରେ ରହିଛି ବିଜୁ ବାବୁଙ୍କର, ଜଣେ ଅଦମ୍ୟ ସାହସୀ ଓଡ଼ିଆ ଯୁବକଙ୍କର ବିରତ୍ଵ ଓ ପରାକାଷ୍ଠା ର କାହାଣୀ। ଏହି ବିମାନରେ ବିଜୁ ବାବୁ, ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହିତ ଇଣ୍ଡୋନେସିଆ ଯାଇ ସେଠାକାର ସ୍ଵାଧନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଳରୁ ମୁକ୍ତ କରି ଭାରତ ଆଣିଥିଲେ। ସେ କାହାଣୀ ଆଜି ସମସ୍ତେ ଜାଣନ୍ତି। କିନ୍ତୁ ଆଜିଠାରୁ ସେହି ଐତିହାସିକ ଘଟଣାର ଜୀବନ୍ତ ସାକ୍ଷୀ କୁ ଦେଖିବାର ସୁଯୋଗ ପାଇବେ ଓଡ଼ିଶା ବାସୀ, ଦେଶ ବାସୀ।

ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ବିମାନ ଏବେ ଯୁଗ ଯୁଗ ଧରି ଓଡ଼ିଆ ମାନଙ୍କୁ ସାହସ, ବିରତ୍ୱ ଓ ଦେଶ ପାଇଁ ସମର୍ପଣ ଭାବର ବାର୍ତ୍ତା ଦେଇ ଚାଲିବ। ବିଶ୍ଵ ବାସୀଙ୍କ ସମ୍ମୁଖରେ ଓଡ଼ିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା ନନ ସେଡୁଲ ଫ୍ଲାଇଟର ଶୁଭାରମ୍ଭ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଆଜି ବିଧାନ ସଭା ଯାଇ ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Exit mobile version