Site icon ଆଜିକାଲି

ଆସନ୍ତାକାଲି ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ବିଜେଡିର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରବିବାର ଗଞ୍ଜାମ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ବିଜେଡି ନେତା ଓ କର୍ମୀ। ବିଶେଷ କରି ଛତ୍ରପୁରରେ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସମାବେଶରେ ଯୋଗଦାନ ପାଇଁ ବ୍ରହ୍ମପୁର ମହାନଗର ତଥା ବ୍ରହ୍ମପୁର ଓ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ନେତୃବୃନ୍ଦଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ଭରି ଯାଇଛି। ଛତ୍ରପୁରରେ ରବିବାର ଅପରାହ୍ନରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସଭାରେ କିଭଳି ବ୍ରହ୍ମପୁର ମହାନଗରରୁ ଅଧିକରୁ ଅଧିକ ଜନସାଧାରଣ, ମିଶନ୍ ଶକ୍ତି ତଥା ଏସ୍ଏଚଜି ମହିଳା ଏବଂ ଦଳୀୟ ନେତା ଓ କର୍ମୀ ଯୋଗ ଦେବେ, କିଭଳି ଶୃଙ୍ଖଳିତ ଭାବେ ସଭାସ୍ଥଳରେ ଠିକ୍ ସମୟରେ ପହଞ୍ଚିବେ, ସଭା ସଫଳତା ସହ ସମ୍ପନ୍ନ ହେବ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ କାହାର କଣ ଦାୟିତ୍ଵ ରହିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ନେଇ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ମହିଳା ମାନଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସେହିପରି ମୁଖ୍ୟମନ୍ତ୍ରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟାମାନଙ୍କୁ ଆର୍ଥିକ ସହାୟତା ବାବଦ ଚେକ୍ ବିତରଣ କରିବେ। ଆହୁରି ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ବା ଶିଳାନ୍ୟାସ କରିବେ। ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କରିବା ସାଙ୍ଗକୁ ଉପସ୍ଥିତ ଜନସାଧାରଣ ଓ ଦଳୀୟ ନେତା, କର୍ମୀମାନଙ୍କୁ ଉଦବୋଧନ ଦେବେ। ଏହି ସମାବେଶରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଧନ୍ୟବାଦ ଅର୍ପଣ କରିବା ସହ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ପ୍ରସ୍ତୁତି ବୈଠକରେ ବ୍ରହ୍ମପୁର ବିଧାୟକ, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Exit mobile version