Site icon ଆଜିକାଲି

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିକଶିତ ଓଡ଼ିଶାର ରୋଡ୍ ମ୍ୟାପ୍ ନେଇ ହେବ ଆଲୋଚନା

ଭୁବନେଶ୍ୱର : ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ପରେ ସେମାନେ ଦିଲ୍ଲୀ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ମୋହନ ମାଝୀଙ୍କ ପ୍ରଥମ ଦିଲ୍ଲୀ ଗସ୍ତ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିକଶିତ ଓଡ଼ିଶାର ରୋଡ଼ ମ୍ୟାପକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।

ସେହିପରି ଇସ୍ତାହାରରେ ବିଜେପି ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି କିଭଳି କାର୍ଯ୍ୟକାରୀ ହେବ ତା ଉପରେ ଆଲୋଚନା କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ଟଙ୍କା, ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଓ ଶ୍ରୀମନ୍ଦିର ପରିଚାଳନା ପାଇଁ ଅର୍ଥ ବରାଦ ନେଇ ବିସ୍ତୃତ ଆଲୋଚନା କରିବେ । କେନ୍ଦ୍ରୀୟ ପ୍ରବର୍ତ୍ତିତ ବିଭିନ୍ନ ଯୋଜନା ମଧ୍ୟ ଏଜେଣ୍ଡାରେ ସ୍ଥାନ ପାଇବ। ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ସେହିପରି ଜେପି ନଡ୍ଡା ଓ ବିଜେପିର ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କୁ ମଧ୍ୟ ଭେଟିବେ ମୋହନ ମାଝୀ। ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଷୟ ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବେ।

FacebookTwitterLinkedinWhatsapp
Exit mobile version