Site icon ଆଜିକାଲି

ମୋ ସରକାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ଜିଲାପାଳମାନେ ଅଧିକ ଫିଡ୍‌ବ୍ୟାକ ସଂଗ୍ରହ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍‌କୁ ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ପଂଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମିଶନ ଶକ୍ତି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା କରାଯାଇଥିଲା ।

ବୈଠକରେ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି । ଆଜି ପର୍ଯ୍ୟନ୍ତ ସମୁଦାୟ ୩.୭୭ କୋଟି ଫିଡବ୍ୟାକ ସଂଗ୍ରହ କରାଯାଇଛି । ମୋ ସରକାରର ୧୧ଟି ପାରାମିଟରରୁ ୯ଟି ପାରାମିଟରରେ ଉନ୍ନତି ଆସିଛି । ସମସ୍ତ ବିଭାଗର ସାମଗ୍ରିକ ପ୍ରଦର୍ଶନ ଦୃଷ୍ଟିରୁ ୯୪.୯ ପ୍ରତିଶତ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂଙ୍ଗ ବା ସର୍ବୋତମ ରହିଛି । ସମୀକ୍ଷାରୁ ଜଣାଯାଇଥିଲା ଯେ ସ୍ୱାସ୍ଥ୍ୟ ବିଭାଗର ପ୍ରଦର୍ଶନ ସର୍ବୋତମ ରହିଛି । ବିଶେଷକରି ସରକାରୀ ଡାକ୍ତରଖାନା ମାନଙ୍କରେ ମିଳୁଥିବା ସେବା ସଂପର୍କରେ ଜନସାଧାରଣଙ୍କ ଫିଡବ୍ୟାକ ବହୁତ ଭଲ ରହିଛି । ୯୯ ପ୍ରତିଶତରୁ ଅଧିକ ମତ ଉତମ ବୋଲି ଜଣାଯାଇଛି । ସେହିପରି ବେସରକାରୀ ଡାକ୍ତରଖାନା ଗୁଡିକରେ ୯୮ ପ୍ରତିଶତ ଫିଡବ୍ୟାକ ଉତମ ରହିଛି । ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଫିଡବ୍ୟାକ ନିଆଯାଇଛି । ଗୃହ ନିର୍ମାଣ ଓ ନିଗର ଉନ୍ନୟନ ବିଭାଗ କାମରେ ମଧ୍ୟ ଉନ୍ନତି ଆସିଛି ବୋଲି ଜଣାଯାଇଛି । ସମୀକ୍ଷାରୁ ଜଣାଯାଇଛି ଯେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ୯୬ ପ୍ରତିଶତ, ରାଜସ୍ୱ ବିଭାଗର ୯୮ ପ୍ରତିଶତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୯୨ ପ୍ରତିଶତ ଫିଡବ୍ୟାକ ଅତି ଉତମ ରହିଛି । ମିଶନ ଶକ୍ତି ବିଭାଗ ଅପେକ୍ଷାକୃତ ନୂତନ ବିଭାଗ ହୋଇଥିବାରୁ ଏହାର ଫିଡବ୍ୟାକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଲେ ଯେ ଗତ ସମୀକ୍ଷା ଠାରୁ ବର୍ତମାନ ମଧ୍ୟରେ ଫିଡବ୍ୟାକ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲାସ୍ତରରେ ଉତମ ଫିଡବ୍ୟାକ ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ଉନ୍ନୟନ କମିଶନର ପି.କେ. ଜେନା କହିଲେ ଯେ ମୋ ସରକାର କାର୍ଯ୍ୟକ୍ରମ ଯୋଗୁ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆସିଛି । ସେଥିପାଇଁ ଅଭିଯୋଗର ପରିମାଣ ମଧ୍ୟ କମିଛି ବୋଲି ସେ କହିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଲେ ଯେ ସରକାରୀ ସେବା ପାଉଥିବା ବିଭିନ୍ନ ଲୋକଙ୍କ ଠାରୁ ମତାମତ ଗ୍ରହଣ କରି ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ଜାଣିବା ଏବଂ ତଦ୍‌ନୁଯାୟୀ ପଦକ୍ଷେପ ନେବା ହେଉଛି ମୋ ସରକାରର ଲକ୍ଷ୍ୟ । ଏଥିରେ ଫିଡବ୍ୟାକ ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଉଦାହରଣ ଦେଇ ସେ କହିଲେ ଯେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ପେନ୍‌ସନ କ୍ଷେତ୍ରରେ ବ୍ୟବସ୍ଥାଗତ ସମସ୍ୟା ରହିଛି । ତେଣୁ ଏହାର ନିରାକରଣ ପାଇଁ ବ୍ୟବସ୍ଥାରେ ପରିବର୍ତନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବୈଠକରେ ନିଷ୍ପତି ଅନୁଯାୟୀ ଆଗକୁ ଏ ସଂପର୍କରେ ଅଧିକ ଆଲୋଚନା କରାଯାଇ ବ୍ୟବସ୍ଥାଗତ ପରିବର୍ତନ ପାଇଁ ପଦକ୍ଷେପ ନିଆଯିବ । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ନିଜ ନିଜ ବିଭାଗର ମୋ ସରକାର ତଥ୍ୟ ଉପସ୍ଥାପନ କରିଥିଲେ । ଇଲେକ୍ଟଟ୍ରୋନିକ୍‌ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମୋ ସରକାର କାର୍ଯ୍ୟକ୍ରମର ସାମଗ୍ରିକ ତଥ୍ୟ ଉପସ୍ଥାପନ କରିଥିଲେ ।

Exit mobile version