Site icon ଆଜିକାଲି

ଧାମନଗର ଉପ-ନିର୍ବାଚନ ପାଇଁ ଆଜି ଭର୍ଚୁଆଲରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଧାମନଗର ଉପ-ନିର୍ବାଚନ ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଧାମନଗର ଉପ-ନିର୍ବାଚନ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ୬ଟି ଯାକ ଜିଲାପରିଷଦ ଜୋନରେ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ପ୍ରସାରଣ କରାଯିବ । ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ପୂରା ବିଜେଡି ଶିବିର ଚଳଚଂଚଳ । ୬ଟି ଜୋନରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଏକାଠି ହେବା ପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅନ୍ୟପଟେ ଲୋକଙ୍କ ନିକଟତର ହେବା ପାଇଁ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ମଧ୍ୟ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦଯାତ୍ରା କରି ଲୋକଙ୍କୁ ଭୋଟ ଭିକ୍ଷା କରୁଛି ବିଜେପି ।

ସେପଟେ ପ୍ରଥମ ଥର ଉପନିର୍ବାଚନରେ ଖୋଲଖୋଲି ବିଦ୍ରୋହର ସମ୍ମୁଖୀନ ହୋଇଥିବା ଶାସକ ବିଜେଡ଼ିର ରଣକୌଶଳ ଉପରେ ଏବେ ସମସ୍ତଙ୍କ ନଜର । ବିଜେଡ଼ିର ମାଳମାଳ ମନ୍ତ୍ରୀ, ବିଧାୟକ ଗତ ଦୁଇ ସପ୍ତାହ ହେଲା ଡେରା ପକାଇଛନ୍ତି । ଘନ ଘନ ମନ୍ତ୍ରଣା, ବୈଠକ ଓ ପ୍ରଚାର ଚାଲିଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲରେ ପ୍ରଚାର କରିବେ । ସାରା ନିର୍ବାଚନମଣ୍ଡଳୀରେ ଏନେଇ ୧୩ଟି ମଞ୍ଚ ପ୍ରସ୍ତୁତି ହୋଇସାରିଛି । ଧାମନଗର ବ୍ଲକ୍‌ର ଚୁଡାକୁଟି, ରାଧାବଲ୍ଲଭପୁର, ଅସୁରାଳି, କାସିମପୁର, ଧୁଷୁରୀ, ଭଟ୍ଟସାହି, ଦୋବଲ, କରଦା, ଧାମନଗର ଓ ତିହିଡି ବ୍ଲକ୍‌ର ବୋଡକ, କାଁପଡା, ଦୋଳସାହି ବାସନ୍ତୀ ପଡିଆ ଓ ଅଚକ ଦୁର୍ଗାପଡିଆ ସ୍ଥାନ ନିରୂପଣ ହୋଇଛି । ପ୍ରତି ସଭାସ୍ଥଳରେ ୪ ହଜାରରୁ ୫ ହଜାର କର୍ମୀଙ୍କୁ ଏକଜୁଟ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି । ପ୍ରତି ନିର୍ବାଚନୀ ସଭା ପଡିଆରେ ବଡ ବଡ ଏଲଇଡି ଲାଗିବ । ଆଉ ନବୀନଙ୍କ ମ୍ୟାଜିକ୍‌ ଅବନ୍ତୀଙ୍କ ପାଇଁ ବରଦାନ ହେବ ବୋଲି ବିଜେଡ଼ି ଶିବିର ଆଶାବାଦୀ ।

Exit mobile version