Site icon ଆଜିକାଲି

ଆଜି ୩ଟି ଜିଲା ଗସ୍ତ କରି ବହୁ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ୩ଟି ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲା ଗସ୍ତ କରିବା ସହ ବହୁ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ରବିବାର ପୂର୍ବାହ୍ନ ୯ଟା ୧୦ ମିନିଟ୍ ସମୟରେ ନବୀନ ନିବାସରୁ ବିଧାନସଭା ଯାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ବିମାନ ବନ୍ଦର ନିକଟରେ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟାକୁ ଉନ୍ମୋଚନ କରିବେ । ପରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦର ପରିସରରେ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ବିମାନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ପଶ୍ଚିମ ଓଡ଼ିଶା ଗସ୍ତ କରିବେ ।

ପୂର୍ବାହ୍ନ ୯ଟା ୪୦ ମିନିଟ୍‌ରେ ବିଜୁପଟ୍ଟନାୟକ ବିମାନବନ୍ଦରରୁ ବିମାନ ଯୋଗେ ଯାତ୍ରା ଆରମ୍ଭ କରି ବରଗଡ଼ ଜିଲାର ପଦ୍ମପୁରର ସତୀଭାଟ ଏୟାରଷ୍ଟ୍ରିପ୍‌ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ସୋହେଲାର ହଳଦୀପଲ୍ଲୀ ଗାଁକୁ ଯିବେ । ସେଠାରେ ବରଗଡ଼ ଜିଲା ପାଇଁ ମୁଖ୍ୟମନ୍ତ୍ରୀ ବହୁ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ।

ଏହାପରେ ମୁଖ୍ୟମନ୍ତ୍ରୀ ସୋହେଲାଠାରୁ ଘେଁସ୍ ଯାଏ ବିଜୁ ଏକ୍ସପ୍ରେସ୍ ୱେରେ (୧୮ କିମି) ରୋଡ୍ ଶୋ’ କରିବେ । ଏହି ରୋଡ୍ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ଛୁରିଆପାଲି ଠାରେ ଥିବା ଯାଯାବର ମୌଳିକ ସୁବିଧା କେନ୍ଦ୍ର, ପେଟୁପଲିଠାରେ ସହିଦ କୁଞ୍ଜେଲ ସିଂ ଶିଶୁ ଉଦ୍ୟାନ, ଘେଁସଠାରେ ମାଧୋ ସିଂଙ୍କ ପ୍ରତିମୂର୍ତ ନିକଟରେ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେବେ ।

ଏହାପରେ ଘେଁସ୍ ହାଇସ୍କୁଲ ପଡ଼ିଆରୁ ହେଲିକପ୍ଟର ଯୋଗେ ନୂଆପଡ଼ା ଅଭିମୁଖେ ଗସ୍ତ କରିବେ । ନୂଆପଡ଼ାର କୋମନା ବ୍ଲକ ସ୍ଥିତ ସିଲେଟପାଣିଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଜିଲାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ଶେଷରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲା ଯାଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ବରଗଡ଼, ନୂଆପଡ଼ା ଓ କନ୍ଧମାଳର ଜିଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଯିବା ସହିତ ଆଲର୍ଟ କରାଯାଇଛି ।

Exit mobile version