Site icon ଆଜିକାଲି

ଆଜି ଅହିଂସା ରଥକୁ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟବ୍ୟାପୀ ପରିକ୍ରମା ସାରି ୪୮ ଦିନ ପରେ ଆଜି ଅହିଂସା ରଥ ଭୁବନେଶ୍ୱର ଫେରିଛି । ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରଥଗୁଡ଼ିକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ଅହିଂସା ରଥ’ ପରିକ୍ରମାର ଶୁଭାରମ୍ଭ କରିଥିଲେ ।

ଜାତିର ଜନକ ମହାତ୍ମା ଗାନ୍ଧୀ ଅହିଂସା ମନ୍ତ୍ର ବଳରେ ଦେଶର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଓ ଅହିଂସା ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି କହିଥିଲେ । ସ୍ୱାଧୀନତାର ମର୍ମବାଣୀ, ସଂଗ୍ରାମୀମାନଙ୍କ ତ୍ୟାଗପୂତ ଅବଦାନର ଅବତାରଣା ସାଙ୍ଗକୁ ଶାନ୍ତି ଓ ଅହିଂସାର ସନ୍ଦେଶ ସାରା ରାଜ୍ୟରେ ପହଞ୍ଚାଇବା ସହିତ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ଉତ୍ସାହିତ ଏବଂ ସଚେତନ କରିବା ଲକ୍ଷ୍ୟରେ ‘ଅହିଂସା ରଥ’ ଅଭିଯାନ ଆରମ୍ଭ ହୋଇଥିଲା । ଚାରୋଟି ଅହିଂସା ରଥ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପହଂଚିଥିଲେ । ଏଲ୍‌ଇଡି ଭିଡ଼ିଓ ୱାଲ୍ ରେ ସଜ୍ଜିତ ଚାରୋଟି ରଥ ରାଜ୍ୟର ୩୧୪ଟି ଯାକ ବ୍ଲକ୍ ପରିକ୍ରମା କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାଏକ, ସ୍ୱାଧୀନତା ସଂଗ୍ରାମୀ ରଘୁ-ଦିବାକର ଓ କନିଷ୍ଠତମ ଶହୀଦ ବାଜି ରାଉତଙ୍କ ଜୀବନାଦର୍ଶ ସମ୍ବଳିତ ପ୍ରାମାଣିକ ଚଳଚ୍ଚିତ୍ର ‘ଅହିଂସା ରଥ’ର ଭିଡ଼ିଓ ୱାଲ୍ ରେ ପ୍ରଦର୍ଶିତ ହୋଇଥିଲା । ଏହା ସହିତ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ ବାର୍ତା ମଧ୍ୟ ପ୍ରଚାରିତ ହୋଇଥିଲା । ‘ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ଚଳଚ୍ଚିତ୍ର ପ୍ରଦର୍ଶନ ଥିଲା ଅନ୍ୟତମ ଆକର୍ଷଣ । ‘ଅହିଂସା ରଥ’ ଗତ ୪୮ ଦିନରେ ରାଜ୍ୟରେ ସମୁଦାୟ ୨୦ ହଜାର ୪୫୩ କିଲୋମିଟର ପରିକ୍ରମା କରି ଶାନ୍ତିର ବାର୍ତା ବିତରଣ କରିଛି ।

ରାଜ୍ୟର ସବୁସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସମ୍ବର୍ଦ୍ଧନା ମିଳିଥିଲା । ସ୍ୱାଧୀନତା ଆନ୍ଦୋଳନରେ ଅବଦାନ ପ୍ରକଟ କରିଥିବା ଓଡ଼ିଶାର ସଂଗ୍ରାମୀମାନଙ୍କ ସହିତ ସଂପୃକ୍ତ ସ୍ମୃତିପୀଠ, ଜନ୍ମସ୍ଥାନଗୁଡ଼ିକରେ ‘ଅହିଂସା ରଥ’ର ସ୍ୱାଗତ ଅଧିକ ମର୍ମସ୍ପର୍ଶୀ ହୋଇଛି । ଆବେଗ, ଉନ୍ମାଦନା, ଶାନ୍ତି ଓ ଅହିଂସା ପ୍ରତି ବିପୁଳ ସମର୍ଥନ ସାଙ୍ଗକୁ ବିକାଶଧାରାରେ ରାଜ୍ୟବାସୀଙ୍କ ଭାଗୀଦାରିର ପ୍ରତିଶ୍ରୁତି ବହନ କରି ‘ଅହିଂସା ରଥ’ ପ୍ରତ୍ୟାବର୍ତନ କରିଛି ।

Exit mobile version