Site icon ଆଜିକାଲି

ରାଜ୍ୟରୁ ୨୦ ଲକ୍ଷ ମାଟ୍ରିକ ଟନ୍ ବଳକା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରୁ ବଳକା ଚାଉଳ ଉଠାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବିତରଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଧାନଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରୁ ୨୦ ଲକ୍ଷ ମାଟ୍ରିକ ଟନ୍ ବଳକା ଚାଉଳ କେନ୍ଦ୍ର ଉଠାଇବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୨୨-୨୩ ଖରିଫ ମାର୍କେଟିଂ ଋତୁରେ ୧୭ ଲକ୍ଷ ମାଟ୍ରିକ ଟନ ଉଷୁନା ଓ ୩ ଲକ୍ଷ ମାଟ୍ରିକ ଟନ ଅରୁଆ ଚାଉଳ ବଳକା ରହିଛି। ଏହି ବଳକା ଚାଉଳ ଉଠାଣ ନହେଲେ ରାଜ୍ୟରେ ଆଗାମୀ ଋତୁରେ ଧାନ ସଂଗ୍ରହ ପ୍ରଭାବିତ ହେବ ଓ ଧାନର ଏମଏସପି ଉପରେ ନିର୍ଭରଶୀଳ ଚାଷୀମାନଙ୍କ ଜୀବନ ଜୀବିକା ଗଭୀର ଭାବେ ପ୍ରଭାବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ନବୀନ ଚିଠିରେ ଲେଖିଛନ୍ତି ଯେ, ମାର୍ଚ୍ଚ ୩୧ରେ ସରୁଥିବା ଚଳିତ ଖରିଫ ସିଜିନରେ ୨୨ତାରିଖ ସୁଦ୍ଧା ୪୪ଲକ୍ଷ ୨୩ ହଜାର ମେଟ୍ରିକ ଟନ ଚାଉଳ ସଂଗ୍ରହ ହୋଇଛି । ଏଥିପାଇଁ ୧୩ ହଜାର ୮୧ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦେଇଛନ୍ତି ରାଜ୍ୟ ସରକାର । ଆଉ ୮ ଦିନ ମଧ୍ୟରେ ୧୦ଲକ୍ଷ ମେଟ୍ରିକ ଟନର ଚାଉଳ ସଂଗ୍ରହ ହେବାର ଆକଳନ କରାଯାଉଛି । ଚାଷୀଙ୍କଠାରୁ ସଂଗୃହୀତ ମୋଟ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନା ଜରିଆରେ ୨୪ଲକ୍ଷ ମେଟ୍ରିକ ଟନ ଚାଉଳ ବ୍ୟବହୃତ ହେବ । ପ୍ରାୟ ୩୦ଲକ୍ଷ ମେଟ୍ରିକ ଟନ ଚାଉଳ ଓଡ଼ିଶାରେ ବଳକା ରହିବ । ହେଲେ କେନ୍ଦ୍ର ସରକାର ୧୦ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ ଟାର୍ଗେଟ ଦେଇଥିବାରୁ ଏହା ଓଡ଼ିଶା ପାଇଁ ସମସ୍ୟା ଆଣିବ । ବଳକା ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇ ଓଡ଼ିଶାରୁ ନଉଠାଇଲେ ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Exit mobile version