Site icon ଆଜିକାଲି

ଫସଲର ବିବିଧକରଣ ସହ ଚାଷରେ ବୈଷୟିକ ଜ୍ଞାନକୋୖଶଳର ପ୍ରୟୋଗ ପାଇଁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ବର – ଆଜି ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଜଳ ହେଉଛି ଅମୂଲ୍ୟ । ଜଳର ଉଚିତ ବ୍ୟବହାର ସହ ସଂରକ୍ଷଣ ଓ ପୁନଃ ବ୍ୟବହାର ପାଇଁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଫସଲର ବିବିଧକରଣ ସହ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ଅଧିକ ଅମଳ କରି କୃଷି କ୍ଷେତ୍ରରେ ନିଜେ ସଫଳତା ପାଇବା ସହିତ ରାଜ୍ୟକୁ ଏ କ୍ଷେତ୍ରରେ ଚାଷୀଭାଇମାନେ ଅଗ୍ରଣୀ କରିପାରିବେ ବୋଲି ସେ କହିଥିଲେ ।

ପାଣି ପଞ୍ଚାୟତ ପକ୍ଷ ଉଦଯାପନ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣି ପଞ୍ଚାୟତ ଆମ ଚାଷୀ ଭାଇଭଉଣୀମାନଙ୍କୁ ପାଣି ଉପରେ ଅଧିକାର ଦେଇଛି। ଏହାର ସୁବିନିଯୋଗ ପାଇଁ ଦାୟିତ୍ୱ ମଧ୍ୟ ଦେଇଛି। ପାଣି ପଞ୍ଚାୟତ ଦ୍ୱାରା ସେମାନେ ପାଣିର ସଠିକ୍‌ ଉପଯୋଗ କରିବା ସହିତ ଏକାଠି ହୋଇ କାମ କରିବାର ଇଚ୍ଛା ଶକ୍ତି ଓ ଦକ୍ଷତା ମଧ୍ୟ ବଢିଛି। ପାଣି ପଞ୍ଚାୟତର ସୁବିନିଯୋଗରେ ଆଜି ରାଜ୍ୟର ଚାଷୀମାନେ ଭଲ ଫସଲ କରିପାରୁଛନ୍ତି ବୋଲି ସେ କହିଥିଲେ । ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଆଜି ଓଡିଶାରେ ପ୍ରାୟ ୪୦ ହଜାର ପାଣି ପଞ୍ଚାୟତ ଗଠନ ହେଲାଣି। ଏବେ ଏହା ଆଉ ଏକ କାର୍ଯ୍ୟକ୍ରମ ନୁହେଁ, ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଏଥିରେ ମେଗା ଲିଫ୍ଟକୁ ସାମିଲ କରାଯାଇଛି ଓ ମା’ମାନେ ଯେପରି ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଗ ଦେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପାଣି ପଞ୍ଚାୟତରେ ମା’ମାନେ ବହୁତ ଭଲ କାମ କରୁଛନ୍ତି ବୋଲି କହି ସେ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମର ଚାଷୀଭାଇମାନେ ହେଉଛନ୍ତି ଆମର ଶକ୍ତି। ସେମାନଙ୍କ ଶକ୍ତି ବଢ଼ିଲେ ଓଡ଼ିଶାର ଶକ୍ତି ବଢିବ। ଚାଷୀମାନଙ୍କ ଉନ୍ନତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀମାନଙ୍କ ଜମିକୁ ପର୍ଯ୍ୟାପ୍ତ ପାଣି ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।

ଜଳସମ୍ପଦ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ୫-ଟି ଉପକ୍ରମରେ ରାଜ୍ୟରେ ଜଳସେଚନ ପ୍ରକଳ୍ପ ଗୁଡିକରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି ଏବଂ ଠିକ୍‌ ସମୟରେ କାମ ଶେଷ କରାଯାଉଛି। କମାଣ୍ଡ ଏରିଆର ବିକାଶ ପାଇଁ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଆନ୍ତରିକତା ଯୋଗୁ ଆଜି ସବୁ କ୍ଷେତ୍ରରେ ରୂପାନ୍ତର ଆସିଛି। କୃଷି ଓ ଜଳସେଚନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିଛି । ପାଣି ପଞ୍ଚାୟତ ଜରିଆରେ ଚାଷୀମାନେ ଜଳର ସଦୁପଯୋଗ କରି ଭଲ ଫସଲ କରିପାରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରି ଜଗତସିଂହପୁର ମା’ ବାଟମଙ୍ଗଳା ପାଣି ପଞ୍ଚାୟତର ସଭାପତି ମମତା ଦାସ ଏବଂ ଗଞ୍ଜାମ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ପାଣି ପଞ୍ଚାୟତର ସଂପାଦକ ମଦନ ମୋହନ ବିଶ୍ୱାଳ କହିଥିଲେ ଯେ ପାଣି ପଞ୍ଚାୟତ ଯୋଗୁ ପାଣିର ଉଚିତ ବ୍ୟବହାର କରାଯାଇପାରୁଛି । ଏପରିକି ସ୍ୱଳ୍ପ ବୃଷ୍ଟି ସମୟରେ ଭଲ ଫସଲ କରିପାରୁଛନ୍ତି ଚାଷୀ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପାଣି ପଞ୍ଚାୟତର ପ୍ରୋଟୋଟାଇପ୍‌ ର ଶୁଭାରମ୍ଭ କରିବା ସହିତ ସେଚ ସହଭାଗିତା ୨.୦ ଶୀର୍ଷକ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ କୃଷକ, ଶ୍ରେଷ୍ଠ ପାଣି ପଞ୍ଚାୟତ, ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଶ୍ରେଷ୍ଠ ପ୍ରକଳ୍ପ ଓ ଶ୍ରେଷ୍ଠ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟର ୫୦ଟି ଶ୍ରେଷ୍ଠ ପାଣି ପଞ୍ଚାୟତକୁ ୫୦ ହଜାର ଟଙ୍କା ଲେଖାଏଁ, ୩୦ଟି ଜିଲ୍ଲାର ୩୦ ଜଣ ଶ୍ରେଷ୍ଠ କୃଷକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଏବଂ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଯଥାକ୍ରମେ ୧୦ ହଜାର, ୭ ହଜାର ୫୦୦ ଏବଂ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ଜଗତସିଂହପୁରର ମା’ ବାଟମଙ୍ଗଳା ପାଣି ପଞ୍ଚାୟତ, ଶ୍ରେଷ୍ଠ ଚାଷୀ ଭାବେ ମାଲକାନଗିରିର ପୂର୍ଣ୍ଣିମା ହାଲଦାର, ଶ୍ରେଷ୍ଠ ଛାତ୍ରୀ ଭାବେ କେନ୍ଦ୍ରାପଡାର ମନସ୍ୱୀ ଦାସ, ଶ୍ରେଷ୍ଠ ପ୍ରକଳ୍ପ ଭାବେ ପୋଟେରୁ ଜଳସେଚନ ପ୍ରକଳ୍ପ ଓ ଶ୍ରେଷ୍ଠ ଅଧିକାରୀ ଭାବେ ଚିକିଟି ମାଇନର ଜଳସେଚନ ପ୍ରକଳ୍ପର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁନୀତା ଜେନା ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

Exit mobile version