Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ବାହନାଗା ହାଇସ୍କୁଲର ହେବ ପୁନଃନିର୍ମାଣ, ଏକ ଆଦର୍ଶ ସ୍କୁଲ ଭାବେ ଗଢାହେବ

ଭୁବନେଶ୍ୱର : ‍ବାଲେଶ୍ୱର ଜିଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ । ୫-ଟି ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ମରଶରୀରକୁ ସାମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ମୃତଦେହ ଗୁଡିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ତେଣୁ ସ୍କୁଲ ଭାଙ୍ଗି ଏହାର ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ସାଚନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ତଙ୍କର ମତାମତ ନେଇଥିଲେ । ଯେହେତୁ ଛାତ୍ରଛାତ୍ରୀ, ଅଭିବାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସେ ଦିନର ଭୟଙ୍କର ଦୃଶ୍ୟ ଏବେ ବି ସେମାନଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ସ୍କୁଲ ର ୨ଜଣ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀର ପ୍ରିୟଙ୍କା ବେହେରା ଓ ଷଷ୍ଠ ଶ୍ରେଣୀର ସୁମନ ସାହୁ ସ୍କୁଲର ବିକାଶ ବିଷୟରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହ ମତ ବିନିମୟ କରିଥିଲେ ଓ ସ୍କୁଲର ବିକାଶ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ । ପିଲାମାନଙ୍କର ମତାମତ ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲର ବିକାଶ ଯଥା କଂକ୍ରିଟ ଛାତ, ଶ୍ରେଣୀ ଗୃହ, ଖେଳ ପଡିଆ, ପାଚେରୀ ଆଦି ସୁବିଧା ସୁଯୋଗର ବିକାଶ ପାଇଁ ନିଷ୍ପତ୍ତି କରାଯାଇଥିଲା। ଏ ସଂକ୍ରାନ୍ତରେ ୧୫ ଦିନ ମଧ୍ୟରେ ବିସ୍ତୃତ ଯୋଜନା ପ୍ରସ୍ତୃତି କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Exit mobile version