Site icon ଆଜିକାଲି

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ସମସ୍ତ ଜିଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ଅନୁଷ୍ଠିତ ହୋଇଛି ବୈଠକ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନେ ଏହି ବୈଠକରେ ସାମିଲ ହୋଇଥିଲେ । ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ସମସ୍ତ ଜିଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ପାରାଦୀପ, ଗୋପାଳପୁର ଡୋପଲର ରାଡାର କାର୍ଯ୍ୟ କରୁଛି। ଯାହା ବାତ୍ୟା ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ। ମେ’ ୧ରୁ ବିଭାଗ ଓ ଜିଲାଗୁଡ଼ିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ। ଜୁନ୍‌ ୧୮ ଓ ୧୯ ତାରିଖରେ ପ୍ରତ୍ୟେକ ବର୍ଷ ଭଳି ସମସ୍ତ ଜିଲା ସଦର ମହକୁମା ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀ, ବ୍ଲକସ୍ତରରେ ମକ୍‌ଡ୍ରିଲ୍‌ ହେବ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବଚ୍ଛତା ଏବଂ ପରିମଳ ଉପରେ ଆବଶୟକୀୟ ପଦକ୍ଷେପ ନେବା ପାଇଁ ଜରୁରିକାଳୀନ ଯୋଜନା ପ୍ରସ୍ତୁତି କରିବେ। ରାଜ୍ୟ ଓ ଜିଲାସ୍ତରରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର, ହାଲୋଜିନ ଟାବଲେଟ୍‌, ଚୂନ ପାଉଡର ଇତ୍ୟାଦି ମହଜୁଦ ରଖିବେ। ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଅଗ୍ନିଶମ ସେବା ପୋଲିସ ମହାନିର୍ଦ୍ଦେଶକ, ସ୍ବତନ୍ତ୍ର ରିଲିଫ କମିଶନର, ଓଏସ୍‌ଡିଏମ୍‌ଏରର ପରିଚାଳନା ନିର୍ଦ୍ଦେଶକ ଏନ୍‌ଡିଆର୍‌ଫର ସିନିୟର କମାଣ୍ଡାଣ୍ଟ, ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱରର ସହନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Exit mobile version