Site icon ଆଜିକାଲି

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଦାବିପତ୍ର, ପ୍ରଶାସନ ନଶୁଣିଲେ ତେଜିବ ଆନ୍ଦୋଳନ

ପୁରୀ : ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି ଜୋର୍ ଧରିଛି । ପୁରୀ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାରିଦ୍ବାର ଖୋଲିବା ଦାବି ଜୋରଦାର ହୋଇଥିବା ବେଳେ ଏହାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସମର୍ଥନ କରିଛନ୍ତି । ଏଥିସହ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଭକ୍ତଙ୍କ ଉଦ୍ଦେଶ୍ୟରେ ଚାରିଦ୍ୱାର ଖୋଲିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ସାତ ଦିନ ଭିତରେ ଏହି ଦାବି ପ୍ରଶାସନ ପୂରଣ ନକଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି । ସେପଟେ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ସହ ବରିଷ୍ଠ ସେବାୟତଙ୍କ ପରାମର୍ଶ ନିଆଯାଇ ଚାରିଦ୍ବାର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା ଓ ନାରାବାଜି ।

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି ନେଇ ଏହି ଧାରଣା ଦିଆଯାଇଛି । କୋଭିଡ ମହାମାରୀ ଯୋଗୁ ଗତ ୨୦୨୦ ମାର୍ଚ୍ଚ ମାସରୁ ଶ୍ରୀମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପ୍ରବେଶ କରିବା ନେଇ କଟକଣା ଜାରି ହୋଇଥିଲା । ତେବେ କୋଭିଡ ମହାମାରୀ କମିବା ପରେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ ।

କେବଳ ସିଂହଦ୍ଵାର ବାଟେ ପ୍ରବେଶ ଅନୁମତି ଥିବାରୁ ଭକ୍ତଙ୍କ ସହିତ ପୁରୀ ବାସିନ୍ଦା ବେଶ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଗୋଟିଏ ପଟେ ପ୍ରବେଶ ଅନୁମତି ଥିବାରୁ ଲମ୍ବା ଲାଇନ୍ ଲାଗି ରହୁଛି। ଫଳରେ ଅତ୍ୟାଧିକ ଭିଡ଼ ଯୋଗୁ ବୟସ୍କ, ମହିଳା ଓ ଶିଶୁମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ପୁରୀ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ ସହିତ ମହାପ୍ରସାଦ ଟିକିଏ ଆଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡା ହେଉଛନ୍ତି।

ଏଥିଯୋଗୁ ପୁରୀରେ ଥିବା ବୟସ୍କ ବ୍ୟକ୍ତି ମାନେ ଦୈନନ୍ଦିନ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ତେଣୁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ସହ ଆନନ୍ଦ ବଜାରରୁ ମହାପ୍ରସାଦ ଆଣିବା ପାଇଁ ପୂର୍ବ ଭଳି ସମସ୍ତ ଦ୍ବାରକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲି ଦେବା ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ସହ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Exit mobile version