Site icon ଆଜିକାଲି

ନଭେମ୍ବର ୨୩ରୁ ଦଶମ ଶ୍ରେଣୀ ଏସ୍ଏ-୧ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷା ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ। ଏହା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷାରେ ମୋଟ ୮୦ନମ୍ବର ପରୀକ୍ଷା ହେବ ଓ ପରୀକ୍ଷା ସମୟ ୨ ଘଣ୍ଟା ରହିବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ସ୍କୁଲ ବ୍ୟତୀତ ଅନ୍ୟ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଦେବେ। ପ୍ରତି ବିଷୟର ମୋଟ ୮୦ ନମ୍ବର ପରୀକ୍ଷାରେ ୫୦ ନମ୍ବର ଅବ୍‌‌ଜେକ୍ଟିଭ୍ (ଏମ୍‌ସିକ୍ୟୁ) ଓ ଅବଶିଷ୍ଟ ୩୦ ନମ୍ବର ସବ୍‌ଜେକ୍ଟିଭ୍ (ଦୀର୍ଘ ଉତ୍ତରମୂଳକ) ପ୍ରଶ୍ନ ଆସିବ। ଏହି ପରୀକ୍ଷାର ଖାତା ମୂଲ୍ୟାୟନ ବୋର୍ଡ ନିର୍ଦ୍ଧାରିତ ମୂଲ୍ୟାୟନ‌ ‌କେନ୍ଦ୍ରରେ କରାଯିବ।

ସେହିପରି ନବମ ଶ୍ରେଣୀ ଏସ୍ଏ-୧ ପରୀକ୍ଷା ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଛି। ନବମ ଏସ୍ଏ-୧ ପରୀକ୍ଷା ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ଦେବେ। କିନ୍ତୁ ଏହାର ମୂଲ୍ୟାୟନ ଅନ୍ୟ ମୂଲ୍ୟାୟନ କେନ୍ଦ୍ରରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ବୋର୍ଡ ପକ୍ଷରୁ ପରୀକ୍ଷା ଶୈଳୀରେ କିଛିଟା ପରିବର୍ତ୍ତନ କରାଯାଇଛି। ଏସ୍ଏ-୧ରେ ସମୁଦାୟ ପାଠ୍ୟକ୍ରମର ୫୦ ପ୍ରତିଶତ ବିଷୟରୁ ପ୍ରଶ୍ନ ଆସିବ। ଏସ୍ଏ-୧ରେ ଯେଉଁ ସବୁ ବିଷୟରୁ ପ୍ରଶ୍ନ ଆସିବ, ଏସ୍ଏ-୨ରେ ଆଉ ସେ ବିଷୟରୁ ପ୍ରଶ୍ନ ଆସିବ ନାହିଁ। ସେହିପରି ପୂର୍ବବର୍ଷ ଭଳି ତିନିଟି ମୂଲ୍ୟାୟନ ପଦ୍ଧତି ବଦଳରେ ଚଳିତ ବ‌ର୍ଷ ଗୋଟିଏ ମାତ୍ର ପଦ୍ଧତି ଅନୁସରଣ କରି ଫଳ ପ୍ରକାଶ କରାଯିବ। ଏସ୍ଏ-୧ ଭଳି ଏସ୍ଏ-୨ରେ ମଧ୍ୟ ପ୍ରତି ବିଷୟରୁ ମୋଟ ୮୦ନମ୍ବର ପରୀକ୍ଷା କରାଯିବ। ଦଶମ ଶ୍ରେଣୀ ପାଇଁ ଏସ୍ଏ-୧ରୁ ୪୦% ୱେଟେଜ୍, ଏସ୍ଏ-୨ରୁ ୪୦% ୱେଟେଜ୍ ଓ ବିଦ୍ୟାଳୟ ପକ୍ଷରୁ ହୋଇଥିବା ଇଣ୍ଟରନାଲ୍ ଆସେସ୍‌ମେଣ୍ଟରୁ ୨୦% ୱେଟେଜ୍ ଦିଆଯାଇ ମାଟ୍ରିକ୍ (ଚୂଡ଼ାନ୍ତ) ପରୀକ୍ଷାଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମ, ପରୀକ୍ଷା ଶୈଳୀ, ମୂଲ୍ୟାୟନ ଆଦି ବିଷୟରେ ବୋର୍ଡ କର୍ତ୍ତୃପକ୍ଷ ଜିଲା ଶିକ୍ଷାଧିକାରୀଙ୍କ ଜରିଆରେ ହାଇସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ ସୂଚନା ଦିଆଯାଇଛି।

Exit mobile version