Site icon ଆଜିକାଲି

ଆଜି ବଣ୍ଟା ହେବ ସିଏମ୍ କିଷାନ୍ ଟଙ୍କା, ଚାଷୀ ପାଇବେ ୪ ହଜାର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କୃଷିଭିଭିକ ଗଣପର୍ବ ନୂଆଁଖାଇ ଅବସରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସିଏମ୍ କିଷାନ ଯୋଜନା। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ରାଜ୍ୟସ୍ତରୀୟ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷନ ଯୋଜନା। ଏହି ଯୋଜନାରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା। ଆଜି ଅପରାହ୍ନରେ ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖରିଫ୍ ଓ ରବି ଫସଲ ପୂର୍ବରୁ ଯୋଗ୍ୟ କ୍ଷୁଦ୍ର ନାମମାତ୍ର ଚାଷୀ ମାନେ ଡିବିଟି ମାଧ୍ଯମରେ ବର୍ଷକୁ ଦୁଇଟି କିସ୍ତିରେ ମୋଟ ୪ହଜାର ଟଙ୍କା ଅର୍ଥିକ ସହାୟତା ପାଇବେ । ପ୍ରଥମ ୨ହଜାର ନୂଆଁଖାଇ ଓ ଅବଶିଷ୍ଟ ଅର୍ଥରାଶି ଅକ୍ଷୟ ତୃତୀୟାରେ ମିଳିବ । ଭୂମିହୀନ କୃଷକ ପରିବାରଙ୍କ ପାଇଁ ବର୍ଷକୁ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି। ବର୍ଷକୁ ତିନୋଟି କିସ୍ତିରେ ସେମାନେ ଏହି ଅର୍ଥରାଶି ପାଇବେ ।  ସେହିପରି ସିଏମ୍ କିଷାନ ପୋର୍ଟାଲରେ ଚାଷୀମାନେ ଏବିଷୟରେ ସମସ୍ତ ତଥ୍ୟ ପାଇବା ସହ ପଞ୍ଜୀକରଣ ମଧ୍ୟ କରାଇପାରିବେ । ଏଥିସହ ସରକାରଙ୍କ ପକ୍ଷରୁ କୃଷି ସମୃଦ୍ଧି ହେଲ୍ପଲାଇନ୍ -ନମ୍ବର ୧୫୫୩୩୩ ମଧ୍ୟ ଜାରି କରାଯାଇଛି। ସିଏମ୍ କିଷାନ ଯୋଜନା ନେଇ ଯେକୌଣସି ପ୍ରଶ୍ନ ରହିଥିଲେ ଏହି ନମ୍ବରରେ ଯୋଗାଯୋଗ କରିହେବ। ଯେଉଁ ଚାଷୀମନେ ପିଏମ୍ କିଷାନ ସମ୍ମାନ ନିଧି ସହାୟତା ପାଇଛନ୍ତି ସେମାନେ ଯୋଜନାରୁ ବାଦ୍ ପଡ଼ିବେ । ନୂଆଁଖାଇରେ ସିଏମ୍ କିଷାନର ଶୁଭାରମ୍ଭ ହେବାକୁ ଯାଉଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ନୂଆଁଖାଇ ଅବସରରେ ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନରେ ସେ ସମ୍ବଲପୁରରେ ପହଞ୍ଚି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ।

Exit mobile version