Site icon ଆଜିକାଲି

ବାଲେଶ୍ୱରରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ, ବନ୍ୟା ସ୍ଥିତି ଉଦ୍‌‌ବେଗଜନକ : ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମୀକ୍ଷା କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଜିଲାରେ ବନ୍ୟା ପରିସ୍ଥିତି ଉଦବେଗଜନକ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁଁ ତିନୋଟି ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ଜିଲାରେ ୬ଟି ବ୍ଲକରେ ୮ହଜାର ହେକ୍ଟର ଜମି ଜଳମଗ୍ନ ହୋଇଥିବା ବେଳେ ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି। ପାଣି ଘେରରେ ଥିବା ତଳିଆ ଅଞ୍ଚଳରୁ ୨ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଗାଁରୁ ଲୋକଙ୍କୁ ଊର୍ଦ୍ଧ୍ବାର କରାଯାଉଛି। ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି। ଉଦ୍ଧାର କାର୍ଯ୍ୟରେ ୮ଟି ଅଗ୍ନିଶମ ବାହିନୀ, ୩ଓଡ଼୍ରାଫ ଟିମ୍‌‌ ଏବଂ ଗୋଟିଏ ଏନଡିଆରଏଫ୍‌‌ ଟିମ୍‌‌ ମୁତୟନ ହୋଇଛନ୍ତି। ଏହାସହିତ ଜିଲାସ୍ତରୀୟ ଅଧିକାରୀମାନେ ସ୍ଥିତି ଉପରେ ୨୪ଘଣ୍ଟିଆ ନଜର ରଖିଛନ୍ତି।

ବନ୍ୟାରେ କୌଣସି ବ୍ୟକ୍ତିଙ୍କ ଜୀବନହାନି କିପରି ନଘଟେ ସେନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ରୋଡମ୍ୟାପ୍‌‌ କରିବାକୁ ଇଆଇସିଙ୍କୁ କୁହାଯାଇଛି। ଇଆଇସିଙ୍କ ରିପୋର୍ଟ ମିଳିବା ପରେ ଏନେଇ ପଦକ୍ଷେପ ନିଆଯିବ। ଆଜି ପୂର୍ଣ୍ଣିମା ଯୋଗୁଁଁ ପାଣି ଛାଡୁନି, ଦିନକ ପରେ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version