Site icon ଆଜିକାଲି

ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତା ୭ ତାରିଖରେ ନୀତି ଆୟୋଗ ବୈଠକ । ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀ ଯିବେ । ଏଥିରେ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି ଦୋହରାଇବ ଓଡ଼ିଶା । ବୈଠକକୁ ନେଇ ପୁଣି ତାଜା ହୋଇଛି ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି । ଦୁଇ ଦଶନ୍ଧି ଧରି କେନ୍ଦ୍ର ପାଖରେ ଏହି ଦାବି କରି ଆସୁଛି ଓଡ଼ିଶା । ନୀତି ଆୟୋଗର ଆସନ୍ତା ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ଦାବି ଦୋହରାଇବ ରାଜ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବିକୁ ପୁଣି ଦିଲ୍ଲୀ ଦରବାରରେ ଉଠାଇବେ । କାହିଁକି ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଆବଶ୍ୟକ, ସେନେଇ ପୁଣି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ନବୀନ ।

୨୦୧୪ରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଘୋଷଣା କରିଥିବା କେନ୍ଦ୍ର କାହିଁକି ଅବହେଳା କରୁଛି ଏହାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଲଗାତାର ଭାବେ ନୀତି ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା । ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ôଥକ ପ୍ୟାକେଜ୍ ଦେବାକୁ ଦାବି କରିଛି ବିଜେଡି । ଅଧିକ ରେଳବାଇ, ବ୍ୟାଙ୍କିଙ୍ଗ, ମୋବାଇଲ ଯୋଗାଯୋଗ ଦାବି ସହ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଅଧିକ ଅର୍ଥ ଦେବାକୁ ବାରମ୍ବାର ଦାବି କରୁଛି ବିଜେଡି । ରାଜ୍ୟର ବିକାଶ ଧାରାକୁ କେନ୍ଦ୍ର ପ୍ରଶଂସା କଲେ ମଧ୍ୟ ବିଭିନ୍ନ ବାହନା ଦେଖାଇ ଅଣଦେଖା କରୁଛି । ବିଜେଡି ସହିତ ସ୍ୱର ମିଳାଇଛି କଂଗ୍ରେସ । ଫୋକସ୍ ଷ୍ଟେଟ୍ ସହ କେନ୍ଦ୍ର ତୁରନ୍ତ ବକେୟା ଅର୍ଥ ଦେବାକୁ କଂଗ୍ରେସ ଦାବି କରିଛି । ରାଜ୍ୟ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସ୍ୱାର୍ଥ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିଛି । ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ମାନ୍ୟତା ପାଇଁ ସଂସଦରୁ ଆରମ୍ଭ କରି ରାଜ୍ୟରେ ଦାବି ଉଠୁଛି । ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ବିହାର ସମେତ କିଛି ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଦେଉଥିବା ବେଳେ ଓଡ଼ିଶା କାହିଁକି ବଂଚିତ ବୋଲି ଉଠିଛି ପ୍ରଶ୍ନ ।

Exit mobile version