Site icon ଆଜିକାଲି

କୋରେଇ ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ସଂପର୍କୀୟଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯାଜପୁର : ଯାଜପୁର ଜିଲା କୋରେଇ ରେଳ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତଙ୍କ ପାଇଁ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବି ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଘଟଣାସ୍ଥଳରେ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ମଧ୍ୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।

ସୂଚନା ଯେ, କୋରେଇ ଷ୍ଟେସନରେ ଆଜି ସକାଳେ ଟ୍ରେନ ଦୁର୍ଘଟଣା ପରେ କୋଲକାତା–ଭୁବନେଶ୍ୱର ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରାକ କ୍ଲିୟର ପାଇଁ ଅଧିକ ସମୟ ଲାଗିବ । ଏହାକୁ ଦୃଷ୍ଟିରେ ରଖି ୮ଟି ଟ୍ରେନକୁ ବାତିଲ କରାଯାଇଛି । ୧୨ଟି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ । ଆଜି ସକାଳେ ଏକ ମାଲବାହୀ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମ ଉପରକୁ ମାଡ଼ି ଯାଇଥିଲା । ଏଥିରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡ଼ିଛି।

Exit mobile version