Site icon ଆଜିକାଲି

ବଢୁଛି କରୋନା, ସମସ୍ତ ହସ୍ପିଟାଲରେ ବେଡ୍ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ବୃଦ୍ଧି ପାଉଛି କୋଭିଡ ପଜିଟିଭ ମାମଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ମଧ୍ୟ ସତର୍କତା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଖୋଲିବ କରୋନା ୱାର୍ଡ଼ । ସମସ୍ତ ହସ୍ପିଟାଲରେ ବେଡ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ମେଡିକାଲ କଲେଜ ଅଧିକ୍ଷକ, ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କଟକର ଏସସିବି ଏମସିଏଚ, ବ୍ରହ୍ମପୁରର ଏମକେସିଜି ଏମସିଏଚ, ବୁର୍ଲାର ଭିମସାର, କୋରାପୁଟର ଏସଏଲଏନ ଏମସିଏଚରେ ୨୦ଟି ଲେଖାଏଁ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୦ଟି ଲେଖାଏଁ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ ରୋଗୀଙ୍କ ପାଇଁ ଅତିକମରେ ଦୁଇଟି ଆଇସିୟୁ ବେଡ୍ ସହିତ ୨୦ଟି ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେହିପରି ସମସ୍ତ ଡିଏଚଏଚ ଏବଂ ଏକତ୍ରିତ ମେଡିକାଲ୍ କଲେଜଗୁଡିକ ଅତି କମରେ ୧୦ଟି ଶଯ୍ୟାକୁ ପୃଥକ କୋଭିଡ ଭାବରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ଯଦି ଅଧିକ ବେଡର ଆବଶ୍ୟକ ହୁଏ ତେବେ ଷ୍ଟାଣ୍ଡବାଇରେ ବେଡ୍ ସହିତ ବିଭିନ୍ନ ସୁବିଧା ରଖିବାକୁ କୁହାଯାଇଛି । ଏହାସହ ସଠିକ ଭାବରେ ଭିତ୍ତିଭୂମି ଥିବା ସମସ୍ତ ସିଏଚସିକୁ ୬ଟି ଶଯ୍ୟା ଚିହ୍ନଟ କରି ରଖିବାକୁ କୁହାଯାଇଛି । ଉପରୋକ୍ତ ସମସ୍ତ କୋଭିଡ ସୁବିଧା ଗୁଡିକ ପାଇଁ ମାନବ ସମ୍ବଳ ସହିତ ସଠିକ ଭାବରେ ପରିଚାଳନା କରିବାକୁ ପଡ଼ିବ ।

ଏହା ସହ ଅକ୍ସିଜେନ, ଅକ୍ସିଜେନ ସିଲିଣ୍ଡର ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି । ମେଡିକାଲ କଲେଜ, ଜିଲ୍ଲା ଓ ସିଏଚସିରେ ଟେଷ୍ଟିଂ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଆଜି ବିଭିନ୍ନ ରାଜ୍ୟ ସର ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର । ସଜାଗ ରହିବା ସହ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ତେବେ ରାଜ୍ୟରେ କୋଭିଡ୍ ସ୍ଥିତି ସେତେଟା ଚିନ୍ତା ଜନକ ନଥିଲେ ସୁଦ୍ଧା ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

Exit mobile version