Site icon ଆଜିକାଲି

କଫ ସିରପ୍ ମୃତ୍ୟୁ ମାମଲା: ନୋଏଡା ସ୍ଥିତ ଔଷଧ କମ୍ପାନୀର ତିନି ଅଧିକାରୀ ଗିରଫ

ନୂଆଦିଲ୍ଲୀ: ଉଜବେକିସ୍ତାନରେ କଫ ସିରପ୍ ଜନିତ ମୃତ୍ୟୁ ଘଟଣାରେ ପୋଲିସ ନୋଏଡା ସ୍ଥିତ ଏକ ଔଷଧ କମ୍ପାନୀର ୩ ଜଣ ଅଧିକାରୀଙ୍କୁ ଗିରଫ କରିଛି। ଡିସେମ୍ବରରେ ଭାରତୀୟ କଫ ସିରପ୍ ପିଇ ୧୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା ବୋଲି ଉଜବେକିସ୍ତାନ ଦାବି କରିଥିଲା ।

ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ର ଡ୍ରଗ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ଆଧାରରେ ଗୁରୁବାର (ମାର୍ଚ୍ଚ ୨) ଭାରତୀୟ ଔଷଧ କମ୍ପାନୀ ମାରିଅନ୍ ବାୟୋଟେକର ୨ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ (ଏଫ୍ଏସଡିଏ) ବିଭାଗ ସେକ୍ଟର-୬୭ରେ ଥିବା ଔଷଧ କମ୍ପାନୀ ମାରିଅନ୍ ବାୟୋଟେକ୍ ପିଭି ଲିମିଟେଡର ଲାଇସେନ୍ସକୁ ରଦ୍ଦ କରିଦେଇଥିଲା । ଡ୍ରଗ୍ ରେକର୍ଡ ମେଣ୍ଟନାନ୍ସ ବ୍ୟତୀତ କଞ୍ଚାମାଲ କ୍ରୟ ସମ୍ପର୍କରେ ଠିକ୍ ସମୟରେ ସୂଚନା ପ୍ରଦାନ ନକରିବାରୁ କମ୍ପାନୀର ଡ୍ରଗ୍ ଉତ୍ପାଦନ ଲାଇସେନ୍ସ ରଦ୍ଦ ହୋଇଥିଲା ।

ଜଣେ ଅଧିକାରୀ କହିଛନ୍ତି ଯେ କମ୍ପାନୀର ମାଲିକାଣି ଫେରାର୍ ଅଛନ୍ତି । ତାଙ୍କ ସନ୍ଧାନ ଚାଲିଛି। ତାଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

Exit mobile version