Site icon ଆଜିକାଲି

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ସୋମବାର ଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ୪ଟି ଟିମ୍‌‌ ପ୍ରତିଦିନ ସକାଳ ୬ ଟାରୁ ୯ଟା ଯାଏଁ ଦେଶୀୟ ପକ୍ଷୀଙ୍କ ଗଣନା କରିବେ। ଗଣନା ୫ ଦିନ ଧରି ଅର୍ଥାତ୍ ୧୩ ତାରିଖ ଯାଏଁ ଚାଲିବ। ପ୍ରତି ଟିମ୍‌‌ରେ ୫ଜଣ ଲେଖାଏଁ ବନ କର୍ମଚାରୀ ସାମିଲ ହୋଇଛନ୍ତି।

ଏବେ ଭିତରକନିକା ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡ଼ୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ଲକ୍ଷ୍ମୀପ୍ରସାଦଡ଼ିଆ ସମେତ ବାଲିଡ଼ିଆଠାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇବା ସହ ବସା କରି ଅଣ୍ଡା ଦେଇଛନ୍ତି। କନିକା ରେଞ୍ଜର ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡିଆ ଓ ମଠଆଡ଼ିଆ ସହ ରାଜନଗର ରେଞ୍ଜର୍‌ ଏକମାଣିଆ ବାଲିଡିଆ ଦ୍ବୀପରେ ଦେଶୀୟ ପକ୍ଷୀ ବସା କରି ଅଣ୍ଡା ଦେଇଛନ୍ତି। ଚଳିତବର୍ଷ ଡାଙ୍ଗମାଳ ରେଞ୍ଜରେ ୩ଟି ଟିମ୍‌‌ ଓ ରାଜନଗର ରେଞ୍ଜରେ ଗୋଟିଏ ଟିମ୍‌‌ ପକ୍ଷୀ ଗଣନା କରୁଛନ୍ତି। ଏହି ଟିମ୍‌‌ କେତୋଟି ଗଛରେ, କେତୋଟି ବସାରେ ଓ କେତେ ବଡ଼ପକ୍ଷୀ ଓ କେତେ ପକ୍ଷୀ ଶାବକ ସେ ନେଇ ଟିକିନିଖି ଗଣନା କରାଯିବ। ଭିତରକନିକାରେ ଗେଣ୍ଡାଳିଆ, ପାଣିକୁଆ, ଅଞ୍ଜନା, ରାଣୀବଗ, ମଝିଆବଗ, ଖଇରା, ଅନ୍ଧାରିଆବଗ, କାପରଖାଇ, ସାନବଗ, ଦାବେଣ୍ଟିଆ ପ୍ରଭୃତି ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଭିତରକନିକାକୁ ଜୁନ୍‌‌ ଶେଷ ଭାଗରୁ ଦେଶୀୟ ପକ୍ଷୀମାନଙ୍କର ଆଗମନ ହୋଇଥାଏ। ମା’ ପକ୍ଷୀମାନେ ବସାରେ ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ଛୁଆମାନଙ୍କୁ ସାଥୀରେ ଧରି ଅକ୍ଟୋବର ଶେଷ ସୁଦ୍ଧା ସେମାନଙ୍କ କର୍ମ ଭୂମିକୁ ଫେରି ଯାଇଥାନ୍ତି। ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶ ବିସ୍ତାର ଓ ଭିତରକନିକାରେ ରହି ଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି।

Exit mobile version