Site icon ଆଜିକାଲି

ପାରାଦୀପରୁ ୯୦ କିମି ଦୂରରେ ବାତ୍ୟା ‘ଦାନା’, ଘଣ୍ଟା ପ୍ରତି ପବନ ବେଗ ୧୦୫ରୁ ୧୧୫ କିମି

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’ ଭୟଙ୍କର ରୂପ ଧାରଣ କରି ଗୁରୁବାର ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବା ପାଇଁ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଛି। ସ୍ଥଳଭାଗ ସ୍ପର୍ଶ କରିବା ପରେ ବାତ୍ୟା ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗକୁ ସାମାନ୍ୟ ଗତି କରିବା ସମ୍ଭାବନା ଥିବାରୁ ରାଜ୍ୟର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଭାଗରେ ଅଧିକ ବର୍ଷା ହୋଇପାରେ। ବାତ୍ୟା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ୫ରୁ ୬ ଘଣ୍ଟା ମଧ୍ୟରେ ରହିବ ଓ ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୨୦ କିଲୋମିଟର ରହିବ।

ଏହା ସହିତ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି ଏବଂ ବାତ୍ୟା ଯୋଗୁଁ ଗଛ, ବିଦ୍ୟୁତ ଖୁଣ୍ଟ ଓ ଘର ଭାଙ୍ଗିଯିବାର ସମ୍ଭାବନା ରହିଛି। ‘ଦାନା’ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏବେ ପାରାଦୀପଠାରୁ ୯୦ କିଲୋମିଟର ଓ ଓଡ଼ିଶା ଉପକୂଳର ଧାମରାଠାରୁ ୧୧୦ କିଲୋମିଟର ଦୂରରେ ଥିବା ଏହି ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି। ଏଥିରେ କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ‘ଦାନା’ ପ୍ରଭାବରେ ରାଜ୍ୟର ଅନ୍ୟ ୯ଟି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ।

Exit mobile version