Site icon ଆଜିକାଲି

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ୨୧ରେ ଲଘୁଚାପ, ୨୩ରେ ଅବପାତ

ସମ୍ଭାବ୍ୟ ବାତ୍ୟା ଗତିପଥ ଏବଂ ତୀବ୍ରତା ନେଇ ଅସ୍ପଷ୍ଟ

ଭୁବନେଶ୍ୱର : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଘନୀଭୂତ  ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨୩ ତାରିଖବେଳକୁ ନେବ ଅବପାତ (ଡିପ୍ରେସନ୍‌) ରୂପ । ଏହି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ । 

ଏହା ଆଗକୁ କେତେ ଶକ୍ତିଶାଳୀ  ହେବ? ବାତ୍ୟା ହେଲେ କୁଆଡ଼େ  ମୁହାଁଇବ? ଏବେଠାରୁ କିଛି ସ୍ପଷ୍ଟ ଆକଳନ କରାଯାଇନାହିଁ । ବିଭିନ୍ନ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ ଦେଖାଉଛନ୍ତି । ଅଧିକାଂଶ ମଡେଲ୍‌ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି । କିଛି ଦର୍ଶାଉଛନ୍ତି, ଏହା ଓଡ଼ିଶାକୁ ମୁହାଁଇବ । ଆଉ କିଛି ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇବା ସମ୍ଭାବନା କହୁଛନ୍ତି । 

ଆଇଏମ୍‌ଡି  ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ  ମହାପାତ୍ର କହିଛନ୍ତି, ବର୍ତ୍ତମାନ ଏହାର  ସମ୍ଭାବ୍ୟ ତୀବ୍ରତା, ଗତିପଥ ନେଇ  କିଛି କହିହେବନି । ଲଘୁଚାପ ହେବା  ପରେ ହିଁ ଏ ନେଇ ସ୍ପଷ୍ଟ ଆକଳନ  କରିହେବ । ବର୍ତ୍ତମାନ ଓଡ଼ିଶା  ଉପରେ ଏହାର କିଛି ପ୍ରଭାବ ନାହିଁ ।  ୨୩ ତାରିଖରୁ ଉପକୂଳ ଓଡ଼ିଶାରେ  ବର୍ଷା ହେବ । ଗୋଟିଏ ଦୁଇଟି  ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।  ୨୪ ଓ ୨୫ରେ ଅଧିକ ବର୍ଷା ହେବ । ଏପରିକି ପ୍ରବଳରୁ ଅତି ପ୍ରବଳ ବର୍ଷା  ଆଶଙ୍କା ଅଛି ଉପକୂଳ ଓଡ଼ିଶାରେ ।  ଡ. ମହାପାତ୍ର କହିଛନ୍ତି,  ସମୁଦ୍ର ଭିତରେ ୨୧ ତାରିଖରୁ  ପ୍ରଭାବ ପଡ଼ିବ । ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନେ ୨୧ ତାରିଖରୁ ସମୁଦ୍ର ଭିତରକୁ ଯିବାକୁ ବାରଣ  କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ର ଭିତରକୁ  ଯାଇଛନ୍ତି, ସେମାନେ ଶୀଘ୍ର ଫେରି ଆସନ୍ତୁ । 

ବିଭିନ୍ନ ଆନ୍ତର୍ଜାତିକ ମଡେଲ୍‌ ବାରମ୍ବାର ସମ୍ଭାବ୍ୟ  ବାତ୍ୟା ଓ ଗତିପଥ ନେଇ ଭିନ୍ନ ଭିନ୍ନ ପୂର୍ବାନୁମାନ  ଦେଖାଉଛନ୍ତି । ଇସିଏମ୍‌ଡବ୍ଲ୍ୟୁଏଫ୍‌ ମଡେଲ୍‌  ଦେଖାଉଛି, ଏହା ଓଡ଼ିଶା ଆଡ଼କୁ ମୁହାଁଇବ । ୨୪  ତାରିଖ ଅପରାହ୍ଣ ବେଳକୁ ଏହା ଓଡ଼ିଶା ଉପକୂଳ  କଡ଼ରେ ଥିବ । ୨୫ ତାରିଖରେ ଓଡ଼ିଶା ଉପକୂଳ  ଛୁଇଁପାରେ । ମାତ୍ର ଏହା ବାତ୍ୟା ରୂପ ନେଇ ନ  ପାରେ । ଅବପାତ କିମ୍ବା ଗଭୀର ଅବପାତ ଅବସ୍ଥାରେ  ସ୍ଥଳଭାଗ ଛୁଇଁପାରେ । ପରବର୍ତ୍ତୀ ସମୟରେ ଏହା  ପଶ୍ଚିମ ଭାରତ ଆଡ଼କୁ ଯାଇପାରେ । 

ଜିଏଫଏସ୍‌ ମଡେଲ୍‌ର ଆଜିର ଆକଳନ  ହେଲା, ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଇ  ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ  ପଶ୍ଚିମବଙ୍ଗରେ ମାଡ଼ ହୋଇପାରେ । ଏହାର ବଡ଼  ପ୍ରଭାବ କିନ୍ତୁ ଉତ୍ତର ଓଡ଼ିଶା ଉପରେ ପଡ଼ିପାରେ ।  ଇସି-ଏଆଇଏଫଏସ୍‌ ଅନୁସାରେ ସମ୍ଭାବ୍ୟ  ବାତ୍ୟା ବିଶେଷ ଶକ୍ତିଶାଳୀ ନ ହୋଇପାରେ ।  ୨୫ ତାରିଖବେଳକୁ ଏହା ଉତ୍ତର ଓଡ଼ିଶା ପାଖ  ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।  ମାତ୍ର ଏହା ଓଡ଼ିଶାରେ ଅଧିକ ବର୍ଷା କରାଇପାରେ ।  ସିଏମସି ମଡେଲ୍‌ ଅନୁସାରେ ଛୋଟ ବାତ୍ୟା  ଓଡ଼ିଶା ଉପକୂଳ ଛୁଇଁପାରେ ଆସନ୍ତା ୨୫-୨୬  ତାରିଖବେଳକୁ । ନାଭଜେମ୍‌ ମଡେଲ୍‌ ଦେଖାଉଛି- ଆସନ୍ତା ୨୪ ତାରିଖ ରାତିରେ ବାତ୍ୟା ଓଡ଼ିଶାରେ  ମାଡ଼ ହେବାର ସମ୍ଭାବନା ଅଛି । ଆଉ କିଛି ମଡେଲ୍‌  ଅନୁସାରେ ଏହା ପଶ୍ଚିମବଙ୍ଗ-ବାଂଲାଦେଶକୁ  ଯାଇପାରେ । କିଛି ମଡେଲ୍‌ ଆନ୍ଧ୍ର ଉପକୂଳ ଛୁଇଁବା  ନେଇ ପୂର୍ବାନୁମାନ ଦେଖାଉଛନ୍ତି ।  

ତୀବ୍ରତା, ଗତିପଥକୁ ନେଇ ଭିନ୍ନ ଆକଳନ  ଦେଖାଉଛନ୍ତି ବିଭିନ୍ନ ପାଣିପାଗ ମଡେଲ୍‌ । ତେଣୁ  ଏହା ବାତ୍ୟା ହେବ କି ନାହିଁ? କେତେ ଶକ୍ତିଶାଳୀ  ହେବ? କୁଆଡ଼େ ଯିବ? କେଉଁଠି କେତେ ପ୍ରଭାବ  ପକାଇବ? ସେ ନେଇ ଏବେଠାରୁ ସ୍ପଷ୍ଟ ଆକଳନ  କରିବା ସହଜ ନୁହେଁ ।   

ବର୍ତ୍ତମାନ ବଙ୍ଗୋପସାଗରରେ ସମୁଦ୍ର  ଜଳର ତାପମାତ୍ରା ୨୯ରୁ ୩୨ ଡିଗ୍ରୀ ସେଲସିୟସ୍‌  ରହୁଛି । ବାତ୍ୟା ଦାନା ବାନ୍ଧିବା ପାଇଁ ଏହା ଅନୁକୂଳ  ବାତାବରଣ । ରାଜ୍ୟରେ ବର୍ତ୍ତମାନ ତାପମାତ୍ରା  ଅଧିକ ରହୁଥିବାବେଳେ ଭୀଷଣ ଗୁଳୁଗୁଳି ଅନୁଭୂତ  ହେଉଛି । ଆଜି ଅପରାହ୍ନରେ ଭୁବନେଶ୍ୱରରେ  ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି ।

Exit mobile version