Site icon ଆଜିକାଲି

ଚାରି ବର୍ଷ ପରେ ବି ସମ୍ପୁର୍ଣ୍ଣ ହୋଇ ପାରୁନି ଡାବୁଗାଁ ଗୋଦାମ ଘର

ନବରଙ୍ଗପୁର, ନି ପ୍ର: ସରକାର ପଞ୍ଚାୟତ ଗୁଡିକର ସର୍ବାଙ୍ଗୀନ ବିକାଶ ଓ ଆବଶ୍ୟକତାକୁ ପରିପୂରଣ କରିବାକୁ ଚାହୁଁଛନ୍ତି। ହେଲେ କିଛି ସ୍ବାର୍ଥନ୍ବେଷୀ ଗୋଷ୍ଠୀ,ଦଳଗତ ବିଚାର ଯୋଗୁଁ ପଞ୍ଚାୟତର ଉନ୍ନୟନ ଠପ୍ ହୋଇ ପଡି ରହୁଛି। ସରକାରୀ ଯୋଜନାର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ କୋଠାକୁ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବର୍ଷ ବର୍ଷ ଧରି ଅଧପନ୍ତରିଆରେ ପଡିରହିଥିବା ଅଭିଯୋଗ ହୋଇଆସୁଛି। ଏଭଳି ଏକ ନିର୍ମାଣଧିନ କୋଠା ବିଗତ ଚାରି ବର୍ଷ ହେଲା ଡାବୁଗାଁ ପଞ୍ଚାୟତ ପରିସରରେ ଦେଖିବାକୁ ମିଳିଛି। ଚାରି ବର୍ଷ ପରେ ମଧ୍ୟ ସମ୍ପୁର୍ଣ୍ଣ ହୋଇ ପାରୁନି ଗୋଦାମ ଘର। ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଆର୍ଥିକ ବର୍ଷ ୨୦୧୮-୧୯ ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଧା ଏଯାବତ୍ ସମ୍ପୂର୍ଣ ହୋଇ ପାରୁନି ଗୋଦାମ। ଅଧା ପନ୍ତରିଆ ହୋଇ ସ୍ଲାପ ଲେବଲ ପର୍ଯ୍ୟନ୍ତ ନିର୍ମାଣ କରି ଅଧାରେ ଛାଡ଼ି ଦିଆଯାଇଛି। ଅର୍ଦ୍ଧ ନିର୍ମିତ କୋଠା କୌଣସି କାର୍ଯ୍ୟରେ ନ ଲାଗିବା ସହିତ ପଞ୍ଚାୟତ ପରିସର ଅପରିସ୍କାର ହୋଇ ପଡ଼ି ନିର୍ମାଣଧିନ ଗୋଦାମ ଘର ନଷ୍ଟ ହେବାକୁ ବସିଲାଣି। ନିର୍ମାଣଧିନ କୋଠାର କାନ୍ଥ ଉପରେ ନାମ ଫଳକରୁ ଜଣାପଡୁଛି ଯେ,ଆର୍ଥିକ ବର୍ଷ ୨୦୧୮-୧୯ ମସିହାରେ ୧୪ତମ ଏସଏଫସି ଯୋଜନାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ବାରା ଅଟକଳ ମୂଲ୍ୟ ପାଞ୍ଚ ଟଙ୍କା ଅନୁଦାନରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶରତ ଟାକ୍ରୀ ବୋଲି ଉଲ୍ଲେଖ ରହିଛି। ପାଞ୍ଚ ଲକ୍ଷ ଟଙ୍କାରୁ କିଛି ପ୍ରତିଶତ କାମ ହୋଇ ସ୍ଲାପ୍ ଲେବଲ୍ ପର୍ଯ୍ୟନ୍ତ କାମ ଶେଷ ହୋଇ ପଡ଼ି ରହିଛି। ତେବେ ଏହି କାର୍ଯ୍ୟ କିଏ ଓ କାହିଁକି କେଉଁ ପରିସ୍ଥିତିରେ ଅଧାରୁ ବନ୍ଦ କରି ଦେଲା ତାର ସଠିକ ଉତ୍ତର ମିଳି ପାରୁନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଅନୁଦାନ ଅର୍ଥକୁ ବାଟ ମାରଣ କରିବା ଓ ଅପବ୍ୟୟ କରି କାର୍ଯ୍ୟକୁ ଅସମ୍ପୂର୍ଣ୍ଣ କରି ଛାଡ଼ିଦିଆଯାଇଛି। ଉକ୍ତ ବିଷୟକୁ ନେଇ ଡାବୁଗାଁ ବିଡିଓ ଶରତ ମାଝାଙ୍କୁ ପଚାରିବାରୁ ତାହା ପଞ୍ଚାୟତ କାର୍ଯ୍ୟାଳୟ ଅଧିନରୁ କାମ ହୋଇଥିଲା ବୋଲି କହି ସେଥିରେ ବ୍ଳକର କୌଣସି ସମ୍ପର୍କ ନ ଥିବା କହିଛନ୍ତି। ତେବେ ବ୍ଲକର ସର୍ବେସର୍ବା ହୋଇଥିବା ବେଳେ ନାକ ତଳ ଡାବୁଗାଁ ପଞ୍ଚାୟତର କାମକୁ ନେଇ ଅଧିକାରୀଙ୍କ ପାଖରେ ତଥ୍ୟ ନ ଥିବା ଓ ବ୍ଲକ ପଞ୍ଚାୟତ ଠାରୁ ଅଲଗା ବୋଲି ବିବେଚିତ କରିବା କେତେ ଦୂର ଯୁକ୍ତିଯୁକ୍ତ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜିବୀଙ୍କ ମହଲରେ ଚର୍ଚ୍ଚା ହେଉଛି।

Exit mobile version