Site icon ଆଜିକାଲି

କେନ୍ଦୁଝର ପୁଲିସକୁ ବଡ଼ ସଫଳତା, ଏକାଧିକ ଡକାୟତ ଘଟଣାରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ଗିରଫ

କେନ୍ଦୁଝର,୨୭।୪ (ବ୍ରଜକିଶୋର ରାୟ) କେନ୍ଦୁଝର ଜିଲା ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲାର ବିଭିନ୍ନ ଥାନା ଏବଂ ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ପ୍ରଭୃତି ଜିଲାରେ ୨୮ ଗୋଟି ବଡ଼ ଡ଼କାୟତି ଘଟଣା ରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର (୨୩)କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଗିରଫ ଡ଼କାୟତ ଦାଶରଥି ଧୀବର ଙ୍କ ନେତୃତ୍ୱରେ ୬ ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ମଧ୍ୟ ରାତିରେ ବନ୍ଧୁକ ମୁନ ରେ ଡରାଇବା ସହିତ ସେଠାରେ ସଟର ଭାଙ୍ଗି ନଗଦ ୪ଲକ୍ଷ ଟଙ୍କା ଏବଂ ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଏହି ମାମଲା ଆଧାରରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୧୬।୧୧।୨୦୨୪ରେ ୫ଜଣ ଡକାୟତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ । କିନ୍ତୁ ଏହି ଡକାୟତି ସମେତ ବିଭିନ୍ନ ଜିଲାରେ ୨୮ ଡକାୟତୀ ଘଟଣାର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଗଠିତ ଏକ ଟିମ ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାର କୁ ଗିରଫ କରିବାରେ ସଫଳ ହୋଇଛି।
ଡ଼କାୟତ ସର୍ଦ୍ଦାର ଦଶରଥୀଙ୍କ ଘର ବାମେବାରୀ ଥାନା ଅନ୍ତର୍ଗତ ଧନୁର୍ଜୟପୁର ବୋଲି ସୂଚନା ଦେଇଛନ୍ତି। ତା ନାମରେ କେନ୍ଦୁଝର ଜିଲାର ବିଭିନ୍ନ ଥାନାରେ ୨୦ଟି, ରାଉରକେଲାରେ ୬ଟି, ଢେଙ୍କାନାଳ ଜିଲାରେ ୧ଟି ଏବଂ ସମ୍ବଲପୁରରେ ୧ ଡ଼କାୟତି ମାମଲା ରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି।ଗିରଫ ଡ଼କାୟତ ପାଖରୁ ଗୋଟିଏ ପିସ୍ତଲ,୧ ଖୁକରୀ, ସୁନା ରୁପା ଅଳଙ୍କାର,ବୋଲେରୋ ଗାଡି ଓ ବାଇକ ଜବତ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ନାୟକ। ଏହି ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ନାୟକ ଙ୍କ ବ୍ୟତୀତ ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ରନାଥ ମୁର୍ମୁ ଏବଂ ନୟାକଟ ଥାନା ଅଧିକାରୀ ଅବିନାଶ ପରିଡା ମଧ୍ୟ ଉପସ୍ଥିତ ଥିଲେ।

Exit mobile version