Site icon ଆଜିକାଲି

ସମାନ ନାଗରିକ ସଂହିତା ଉପରେ ମତାମତ ଦାଖଲ ସମୟସୀମା ଜୁଲାଇ ୨୮ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବା‌‌ ସମାନ ନାଗରିକ ସଂହିତା ଉପରେ ଜନସାଧାରଣଙ୍କ ପାଇଁ ମତାମତ ଦାଖଲ ସମୟସୀମା ବୃଦ୍ଧି କରିଛନ୍ତି ବିଧି ଆୟୋଗ । ଏହି ସମୟସୀମା ଜୁଲାଇ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜୁନ୍ ୧୪ରେ ଆୟୋଗ ୟୁସିସି ଉପରେ ସଂଗଠନ ଏବଂ ସାଧାରଣ ଜନତାଙ୍କ ଠାରୁ ମତାମତ ଓ ପରାମର୍ଶ ଲୋଡିଥିଲେ।

ମତାମତ ପଠାଇବା ପାଇଁ ଏକ ମାସର ସମୟସୀମା ଶୁକ୍ରବାର ଶେଷ ହୋଇଥିଲା । ତେବେ ବିଧି ଆୟୋଗ ଏହି ସମୟସୀମା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସଙ୍ଗରେ ଜନସାଧାରଣଙ୍କ ଜବରଦସ୍ତ ପ୍ରତିକ୍ରିୟା ଏବଂ ମତାମତ ଦାଖଲ କରିବା ସମୟସୀମା ବୃଦ୍ଧି କରିବାକୁ ବିଭିନ୍ନ ମହଲରୁ ଦାବି ଦୃଷ୍ଟିରୁ ସମୟସୀମା ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି । ଯେକୌଣସି ଆଗ୍ରହୀ ବ୍ୟକ୍ତି, ଅନୁଷ୍ଠାନ ଏବଂ ସଂସ୍ଥା ବିଧି ଆୟୋଗର ୱେବସାଇଟରେ ଜୁଲାଇ ୨୮ ପର୍ଯ୍ୟନ୍ତ ୟୁସିସି ଉପରେ ନିଜ ମତ ଦାଖଲ କରିପାରିବେ । ୟୁସିସି ଉପରେ ଏଯାବତ୍ ଡ଼ାକ ଦ୍ୱାରା ପଠାଯାଇଥିବା ମତାମତ ବ୍ୟତୀତ ୱେବସାଇଟରେ ୫୦ ଲକ୍ଷରୁ ଅଧିକ ପ୍ରତିକ୍ରିୟା ମିଳିଛି ।

ୟୁସିସିର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ନାଗରିକଙ୍କ ପାଇଁ ଏକ ସମାନ ଆଇନ ଲାଗୁ କରିବା । ୟୁସିସିର କାର୍ଯ୍ୟକାରିତା ବିଜେପିର ନିର୍ବାଚନୀ ଇସ୍ତାହାରର ଏକ ଅଂଶବିଶେଷ ଥିଲା । ଉତ୍ତରାଖଣ୍ଡ ମଧ୍ୟ ଆଗାମୀ ଦିନରେ ନିଜସ୍ଵ ୟୁସିସି ଆଣିବାକୁ ପ୍ରସ୍ତୁତି କରୁଛି ।

Exit mobile version