Site icon ଆଜିକାଲି

ରାଜ୍ୟରେ ୯ ଯାଏଁ ଦୃଶ୍ୟମାନ ହେବ ଘନ କୁହୁଡ଼ି

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୯ ତାରିଖ ଯାଏ ଘନ କୁହୁଡ଼ି ଦୃଶ୍ୟମାନ ହେବ । ୭ ଓ ୮ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କଟକ ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖାଦେବ । ସେହିଭଳି ୯ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଶନିବାର ଜି. ଉଦୟଗିରିରେ ରାତି ତାପମାତ୍ରା ୬.୫ଡିଗ୍ରୀ ଥିଲା । କୋରାପୁଟ ଓ ସିମିଳିଗୁଡ଼ାରେ ୮ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୮.୫, ଫୁଲବାଣୀରେ ୯, କିରେଇରେ ୧୧.୫ ଓ କେନ୍ଦୁଝରରେ ୧୧.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଆସନ୍ତା ୫ଦିନ ଯାଏ ରାଜ୍ୟରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୨ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିବ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

Exit mobile version