Site icon ଆଜିକାଲି

ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା, କଥା ହେଲେ ଉପମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ୍‌ ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବାର ଭିଡିଓ ପ୍ରଘଟ ହୋଇଛି। ଗୁରୁତର ଅବସ୍ଥାରେ ଅଙ୍ଗନୱାଡି କର୍ମୀଜଣକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତାଙ୍କ ନିକଟରୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଭଲ ଚିକିତ୍ସା ସହ ସୁରକ୍ଷାର ପ୍ରତିଶ୍ରୁତି ଦେଲେ ଉପମୁଖ୍ୟମନ୍ତ୍ରୀ। ମେଡିକାଲରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିବା ବେଳେ ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ବାଲେଶ୍ୱର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ଅଙ୍ଗନବାଡ଼ି ସଂଘ ସଭାପତି ପ୍ରତିଭା ପାଲଙ୍କ ଲିଖିତ ଅଭିଯୋଗରୁ ଜଣାଯାଇଛି ଯେ, ଗତ ୧୯ ତାରିଖ ସକାଳ ୧୧ଟା ସମୟରେ କର୍ମୀ ଉର୍ମିଳା ସାମଲ ଅଙ୍ଗନବାଡି କେନ୍ଦ୍ର ପରିଚାଳନା କରୁଥିବାବେଳେ କିଛି ମହିଳା ମହିଳା ଅଙ୍ଗନୱାଡି କେନ୍ଦ୍ରରେ ପଶି ଉର୍ମିଳାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ ଦେଇଥିଲେ। ଉର୍ମିଳା ପ୍ରତିବାଦ କରିବାରୁ ମହିଳାମାନେ ତାଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଉର୍ମିଳା ଚିତ୍କାର କରୁଥିବା ବେଳେ ଏହାର ଭିଡିଓ ରେକଡିଂ କରି ମଜା ନେଉଥିଲେ। ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଓ କିଛି ଅଙ୍ଗନୱାଡ଼ି କର୍ମୀ ମହାପଦା ଗାଁରେ ପହଞ୍ଚି ଉର୍ମିଳାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ତାଙ୍କୁ ବସ୍ତା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯିବ ସହ ସଂଘ ପକ୍ଷରୁ ଜ଼ିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଅଭିଯୋଗ ସମ୍ପର୍କରେ ଜଣାଯାଇଛି । ମାତ୍ର ଏଯାବତ ମାଡ଼ ମାରିଥିବା ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସୂଚନା ଯେ, ସୁଭଦ୍ରା ଯୋଜନାରେ କାମ ନ କରିବା ଲାଗି ତଥା ଯୋଜନାକୁ ଗୁରୁତ୍ବ ନଦେବା ପାଇଁ ସେମାନେ ଉର୍ମିଳାଙ୍କୁ ଧମକ ଦେଇଥିଲେ। ବିରୋଧୀ ଦଳର ସରପଞ୍ଚ ଥିବାରୁ ଏନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପରେ ମହିଳାମାନେ ଏକଜୁଟ ହୋଇ ଉର୍ମିଳାଙ୍କୁ ଆକ୍ରମଣ କରିଥିଲେ। ସେତିକିରେ ମନ ବୁଝି ନଥିଲା ଯେ ପ୍ରଥମେ ସେମାନେ ଉର୍ମିଳାଙ୍କୁ ଗୋଟିଏ ଚୌକିରେ ବାନ୍ଧି ମାଡ଼ ମାରିଥିଲେ। ପରେ ନିକଟରେ ଥିବା ଗଛରେ ତାଙ୍କୁ ବାନ୍ଧି ମାଡ଼ ମାରିଥିଲେ। ମାଡ଼ ଏମିତି ଥିଲା ଯେ ମହିଳାଙ୍କ ବେକଠାରୁ ଗୋଡ ପର୍ଯ୍ୟନ୍ତ ମାଂସ ପଚି ଯିବା ଭଳି ଅବସ୍ଥା ହୋଇଥିଲା। ଘଟଣା ଜାଣିବା ପରେ ସିଡିପିଓ ପାର୍ବତୀ ମୁର୍ମୁ ଓ ସଂଘର ନେତୃମଣ୍ଡଳୀ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଅଟକ ରଖିବା ସହ ମହିଳାମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥି​ଲେ। ଏମିତିକି ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଆସିଥିବା ଆମ୍ବୁଲାନ୍ସକୁ ଘଣ୍ଟା ଘଣ୍ଟା ଧରି ଛାଡ଼ି ନଥିଲେ। ପୋଲିସ ଅସହାୟ ହୋଇ ବସି ରହିଥିଲା। ଅପରାହ୍ଣରେ ସେମାନଙ୍କୁ ସଂଘ କର୍ମକର୍ତ୍ତା ଉଦ୍ଧାର କରି ରାତିରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Exit mobile version