ଭୁବନେଶ୍ଵର: ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ଦୁଇ ଦିନ ଗୃହ ହୁଲସ୍ତୁଲ ହୋଇଛି। ସରକାରୀ ଦଳ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ଆଜି ତୃତୀୟ ଦିନରେ ବି ଗୃହ ସରଗରମ ହୋଇପାରେ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଘେରୁଛନ୍ତି। ଏହାକୁ ନେଇ ଆଜି ବି ଗୃହରେ ମୁହାଁମୁହିଁ ହୋଇପାରନ୍ତି ଶାସକ ଓ ବିରୋଧୀ। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ତୃତୀୟ ଦିନରେ କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶକ୍ତି ଭଳି ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇପାରେ। ସେହିପରି ଆଜି ଉପବାଚସ୍ପତି ନିର୍ବାଚନ ହେବ। ଏକାମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି।