Site icon ଆଜିକାଲି

ଆଜି ଧାମନଗର ଉପନିର୍ବାଚନ ଭୋଟ୍ ଗଣତି

ଭଦ୍ରକ: ଆଜି ଧାମନଗର ଉପନିର୍ବାଚନ ଭୋଟ୍ ଗଣତି । ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । କାଉଂଟିଙ୍ଗ ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଂଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବଜରଭର ରହିବେ । ୧୮ଟି ରାଉଣ୍ଡରେ ଭୋଟ୍ ଗଣତି ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି । ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ଇଭିଏମ ରଖାଯାଇଛି । ଭୋଟଗ୍ରହଣ ପରେ ୨୫୨ଗୋଟି ବୁଥ୍ ରୁ ଫେରିଥିବା ଇଭିଏମ୍ ଭୋଟଗୁଡ଼ିକୁ ସମୁଦାୟ ୧୮ଟି ରାଉଣ୍ଡରେ ଗଣତି କରାଯିବ ଓ ସବାଶେଷରେ ଭିଭିପ୍ୟାଟ୍ ସ୍ଲିପ୍ ଗୁଡ଼ିକୁ ଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଇଭିଏମ୍ ଭୋଟଗଣନା ପାଇଁ ସମୁଦାୟ ୧୪ଗୋଟି ଟେବୁଲର ବ୍ୟବସ୍ଥା କରାଯାଇଥିବାବେଳେ ପୋଷ୍ଟାଲ ବାଲାଟ ଗଣତି ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ଅନ୍ୟ ଗୋଟିଏ ଟେବୁଲର ବ୍ୟବସ୍ଥା କରାଯାଇଛି ।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପ୍ରକାରର ଗଣତି କାର୍ଯ୍ୟ କରାଯିବ । ପ୍ରତ୍ୟେକ କାଉଂଟିଂ ଟେବୁଲ୍ ପାଇଁ ଜଣେ କାଉଂଟିଂ ସୁପରଭାଇଜର ଓ ଜଣେ କାଉଂଟିଂ ଆସିଷ୍ଟାଂଟ ନିଯୁକ୍ତ ହୋଇଛନ୍ତି ଓ ଏତଦ୍‌ବ୍ୟତୀତ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମାଇକ୍ରୋ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି, ଯିଏକି ପର୍ଯ୍ୟବେକ୍ଷକଙ୍କୁ ମତଗଣନା ସମୟରେ ସହାୟତା କରିବେ । ଭୋଟଗଣନାର ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ଡାକବାଜି ଯନ୍ତ୍ର ସହ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି । ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ଏଜେଂଟମାନେ ଭୋଟଗଣନାର ପ୍ରକ୍ରିୟା ନିରୀକ୍ଷଣ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପ୍ରକାଶ ଥାଉକି ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ୍‌ରୁମ୍ ରେ ପୁଲଡ୍ ଇଭିଏମ୍ ଗୁଡ଼ିକୁ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଭୋଟଗଣନା କେନ୍ଦ୍ରଠାରେ ଫଳାଫଳ ଜାଣିବା ନିମନ୍ତେ ମାଇକ ଦ୍ୱାରା ପ୍ରଚାର କରାଯିବାର ବ୍ୟବସ୍ଥା କରାଯାଇଛି ଓ ଏ ନିର୍ବାଚନ ଫଳାଫଳ ମଧ୍ୟ ୱେବ୍‌ସାଇଟ୍ ମାଧ୍ୟମରେ ଜନସାଧାରଣ ପାଇପାରିବେ ।

Exit mobile version