Site icon ଆଜିକାଲି

ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ଆଜି ନେବେ ମେଲାଣି

ଢେଙ୍କାନାଳ : ସରିଲା ପ୍ରସିଦ୍ଧ ଢେଙ୍କାନାଳ  ଗଜଲକ୍ଷ୍ମୀ ପୂଜା । ଆଜି ମା’ ପଦ୍ମାଳୟା ମେଲାଣି ନେବେ । ଭସାଣି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ କରିବାକୁ ପ୍ରସ୍ତୁତି ସରିଛି । ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବାଦ୍ୟ, ଲୋକନୃତ୍ୟ  ଦଳ ଢେଙ୍କାନାଳରେ ପହଞ୍ଚି ଗଲେଣି । ରବିବାର ସକାଳୁ  ମା’ଙ୍କୁ ବିଦାୟ ଦେବାକୁ ଆରମ୍ଭ ହେବ ଶୋଭାଯାତ୍ରା ।  ବ୍ୟାଣ୍ଡପାର୍ଟି, ବାଦ୍ୟ ଓ ଲୋକନୃତ୍ୟରେ ଦୁଲୁକିବ ସହର ।  ଭସାଣି ଉତ୍ସବ ସକାଳ ସାଢ଼େ ୮ଟାରୁ ଆରମ୍ଭ ହୋଇ ରାତି  ୧୨ଟା ଯାଏ ଚାଲିବ ।  

ଢେଙ୍କାନାଳରେ ପୂଜା ଭଳି ଭସାଣି ଉତ୍ସବ ବି ବେଶ୍‌  ଆକର୍ଷଣୀୟ ହୋଇଥାଏ । ଭସାଣି ଉତ୍ସବ ଦେଖିବାକୁ  ବିଭିନ୍ନ ସ୍ଥାନରୁ ଲୋକେ ଛୁଟି ଆସିଥାନ୍ତି । ଚଳିତ ବର୍ଷ ମଧ୍ୟ  ଭସାଣି ଉତ୍ସବକୁ ବେଶ୍‌ ଆକର୍ଷଣୀୟ କରିବାକୁ ସମସ୍ତ ପୂଜା  କମିଟି ପ୍ରସ୍ତୁତି କରିଛନ୍ତି । ମାତ୍ର ଚଳିତ ଥର ବାତ୍ୟା ‘ଦାନା’  ଲକ୍ଷ୍ମୀପୂଜାକୁ କିଛିକାଂଶରେ ପାଣିଚିଆ କରିଦେଇଛି । ସପ୍ତମ  ଦିନରୁ ବାତ୍ୟା ପାଇଁ ମେଳା ବନ୍ଦ ହୋଇଯାଇଥିବା ବେଳେ  ଭସାଣି ଉପରେ ବି ଏହାର ପ୍ରଭାବ ପଡ଼ିଛି । ବାତ୍ୟା ପାଇଁ  ଟ୍ରେନ୍‌ ବାତିଲ୍‌ ହୋଇଯାଇଥିବାରୁ ରାଜ୍ୟ ବାହାରୁ ଆସିବାକୁ  ଥିବା ଅନେକ ସାଂସ୍କୃତିକ ଦଳ ଗୁଡ଼ିକ ଆସି ପାରିନାହାନ୍ତି ।  ୬ମାସ ଆଗରୁ ଅଗ୍ରୀମ ନେଇ ମଧ୍ୟ ଆସିନପାରିବା ଫଳରେ  କମିଟି କର୍ମକର୍ତ୍ତା ନିରାଶ ହୋଇଛନ୍ତି । ଏହାସତ୍ତେ୍ୱ ରାଜ୍ୟର  ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରର କିଛି ଟିମ୍‌ ଆସି  ପହଞ୍ଚି ଗଲେଣି । ରବିବାର ସକାଳ ସୁଧା କେତେକ ଦଳ  ପହଞ୍ଚିବେ ବୋଲି ଜଣାଯାଇଛି ।  

ପରମ୍ପରା ଅନୁଯାୟୀ, ରବିବାର ସକାଳ ପ୍ରାୟ ସାଢ଼େ  ୮ଟାରେ ପ୍ରଶାସନିକ ଅଧିକାରୀ, ମିଳିତ ବଜାର ପୂଜା କମିଟି  ଓ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଥମେ  ମୀନାବଜାର ପୂଜା ପ୍ରତିଷ୍ଠାନ ଠାରେ ପୂଜାର୍ଚ୍ଚନା କରାଯାଇ  ଭସାଣି ଉତ୍ସବ ଶୁଭାରମ୍ଭ କରାଯିବ । ପ୍ରାୟ ୨୦ଟି ପୂଜା କମିଟି  ମିଳିତ ଭସାଣିରେ ସାମିଲ ହେବେ ବୋଲି ଜଣାଯାଇଛି ।  ବଳରାମ ମନ୍ଦିର, ରାଜବାଟି ଦେଇ ହନୁମାନ ଛକ, ପୂର୍ତ୍ତ  ବିଭାଗ ଛକ, ମହାବୀର ଛକ ଦେଇ କାଠ ଶଙ୍ଖରେ ମେଢ଼  ବିସର୍ଜନ କରାଯିବ । ରାତି ୮ଟା ୧୦ରେ ମୀନାବଜାର ବିସର୍ଜନ  କରିବାକୁ ଧାର୍ଯ୍ୟ ହୋଇଛି । ରାତି ୧୦ଟା ସୁଧା ସମସ୍ତ କମିଟି  ବାଜିଚୌକ୍‌ ଅତିକ୍ରମ କରିବାକୁ ସ୍ଥିର ହୋଇଛି । ଅପରାହ୍ନ  ଗୋଟାଏରୁ ୨ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ପାଇଁ ଶୋଭାଯାତ୍ରା  ବନ୍ଦ ରହିବ । ଅନ୍ୟ ମେଢ଼ ଗୁଡ଼ିକ କୁଞ୍ଜକାନ୍ତ ପୋଖରୀ  ଓ ଜେଲ୍‌ପୋଖରୀରେ ବିସର୍ଜନ କରିବେ । ଡିଜେକୁ ବନ୍ଦ  କରାଯାଇଥିବା ବେଳେ ବ୍ୟାଣ୍ଡ ପାର୍ଟିରେ ବି ଭାଇବ୍ରେଟର୍‌  ଲଗାଇବା ଉପରେ କଟକଣା ଜାରି କରାଯାଇଛି । ପୁଲିସ  ପକ୍ଷରୁ ଏହାର କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଜଣାଯାଇଛି ।  ଶାନ୍ତିଶୃଙ୍ଖଳା ପାଇଁ ୨୩ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିବା  ବେଳେ ପ୍ରତି ୩ଟି ମେଢ଼ ପାଇଁ ଜଣେ ପୁଲିସ ଅଧିକାରୀ  ଦାୟିତ୍ୱରେ ରହିବେ।

Exit mobile version