Site icon ଆଜିକାଲି

ଜିଲା ଓକିଲ ସଂଘର ବାର୍ଷିକ ଉତ୍ସବ, ୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆଇନସେବା ସହ ଜଡିତ ୮ ଆଇନଜୀବି ସମ୍ବର୍ଦ୍ଧିତ

କେନ୍ଦୁଝର , (ନିପ୍ର) ରାଷ୍ଟ୍ରନିର୍ମାଣ ଓ ଗଣତନ୍ତ୍ରର ସୁରକ୍ଷାରେ ଆଇନଜୀବିଙ୍କ ଭୂମିକା ସ୍ୱତନ୍ତ୍ର, ସେ ସ୍ବାଧୀନତା ସଂଗ୍ରାମ ହେଉ କି ପ୍ରଚଳିତ ଶାସନ ବ୍ୟବସ୍ଥା ସବୁଥିରେ ଆଇନଜୀବିମାନେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି ବୋଲି ବହୁ ବରିଷ୍ଠ ବକ୍ତା ମତପ୍ରକାଶ କରିଛନ୍ତି । ସାଧାରଣ ଲୋକ ନ୍ୟାୟ ପାଇବା ପାଇଁ କେବଳ ଯେ ଓକିଲମାନେ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରନ୍ତି ତାହାନୁହେଁ ସାମାଜିକ ବିବର୍ତନର ଏକ ବାହକ ଭାବେ ଦାୟିତ୍ୱ ସମ୍ପାଦନ କରନ୍ତି ବୋଲି ଜିଲା ଓକିଲ ସଂଘର ବାର୍ଷିକୋତ୍ସବରେ ମତବ୍ୟକ୍ତ ହୋଇଛି । ଜିଲା ଓକିଲ ସଂଘର ସଭାପତି ଆଶିଷ ଚକ୍ରବର୍ତୀଙ୍କ ସଭାପତିତ୍ୱରେ ଆୟୋଜିତ ତଥା କେନ୍ଦୁଝର ସଂସ୍କୃତି ଭବନଠାରେ ଅନୁଷ୍ଠିତ ଜିଲା ଓକିଲ ସଂଘର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶା ହାଇକୋର୍ଟର ପୂର୍ବତନ ଆଡଭୋକେଟ ଜେନେରାଲ ତଥା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ସୁର୍ଯ୍ୟପ୍ରସାଦ ମିଶ୍ର ନିଜ ବକ୍ତବ୍ୟରେ ଆଇନର ପରିସୀମା ସମ୍ପର୍କରେ ଅବତାରଣା କରିବା ସହ ଗାନ୍ଧିଜୀଙ୍କ ଜୀବନରେ ଆଇନସେବା ଓ ବିଭିନ୍ନ ମାମଲା ପରିଚାଳନାର ଅବତାରଣା କରିଥିଲେ । ଆଇନଜୀବିମାନେ ସମାଜ ସଂସ୍କାରକ ଭାବରେ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରନ୍ତୁ ବୋଲି ସେ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ନୂଆ ଓକିଲମାନେ ଅଧ୍ୟବସାୟ ପ୍ରତି ଅଧିକ ଦୃଷ୍ଟି ଦିଅନ୍ତୁ ବୋଲି କହିବା ସହିତ କେନ୍ଦୁଝର ବାରର ଏକ ସ୍ୱତନ୍ତ୍ର ନାମ ରହିବା ସହିତ ଅନେକ ବିଶିଷ୍ଟ ବ୍ୟକ୍ତି, ଏହି ଅଂଚଳର ଓକିଲମାନଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଜାତୀୟ ଆଇନ ପ୍ରତିଷ୍ଠାନର ପ୍ରଫେସର ଡକ୍ଟର ପ୍ରବୀର କୁମାର ପଟ୍ଟନାୟକ ନିଜ ବକ୍ତବ୍ୟରେ ଭାରତୀୟ ଆଇନ ବ୍ୟବସ୍ଥା ସହ ବିଦେଶର ବିଭିନ୍ନ ରାଷ୍ଟ୍ରର ଆଇନ ସଂମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ମାମଲା ପରିଚାଳନା କ୍ଷେତ୍ରରେ ବିଜ୍ଞତା ପ୍ରଦର୍ଶନ ବିଶେଷ ଉପକାର କରିଥାଏ ବୋଲି କହିଥିଲେ । ଡଃ ପଟ୍ଟନାୟକ ନିଜ ବକ୍ତବ୍ୟରେ ଦେଶ ସ୍ୱାଧିନତାପ୍ରାପ୍ତିର ଆନ୍ଦୋଳନ ସମୟରେ ସବୁଠାରୁ ଆଇନଜୀବିମାନେ ଅଧିକ ସକ୍ରିୟ ହୋଇ ଅଂଶଗ୍ରହଣ କରିବା କହାକୁ ଅଛପା ନୁହେଁ ବୋଲି ପ୍ରକାଶ କରିଥିଲେ । ଏହି ବାର୍ଷିକ ଉତ୍ସବରେ କେନ୍ଦୁଝର ଜିଲା ଦୌରା ଜଜ ଅଶୋକ କୁମାର ପଣ୍ଡା ନିଜ ବକ୍ତବ୍ୟରେ କେନ୍ଦୁଝର ଜିଲା କେବଳ ପ୍ରକୃତିର ଏକ ଅନବଦ୍ୟ ଅବଦାନ ତାହା ନୁହେଁ, ଏହାର ପରିବେଶ, ନଦନଦୀ, ଝରଣା, ମା’ତାରିଣୀ,ପ୍ରଭୁ ଶ୍ରୀ ବଳଦେବଜୀଉ,ରତ୍ନଗର୍ଭା କେନ୍ଦୁଝର ବାସ୍ତବରେ ସୁନ୍ଦର ବୋଲି କହିବା ସହିତ କେନ୍ଦୁଝରର ମଣିଷମାନେ ବେଶ ସରଳ,ନିଷ୍କପଟ ବୋଲି ନିଜ ଅଭିଭାଷଣରେ କହିଥିଲେ । କେନ୍ଦୁଝର ଜିଲାରେ ଜିଲା ଜଜ ଭାବରେ ସ୍ୱଳ୍ପ ବ୍ୟବଧାନ ସମୟରେ ସେ କାର୍ଯ୍ୟରେ ଯୋଗଦେଇ ବେଶ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ । କଟକର ପୂର୍ବତନ ଜିଲା ଓ ଦୌରା ଜଜ ରାଜକୁମାର ସାହୁ ନିଜ ବକ୍ତବ୍ୟରେ କେନ୍ଦୁଝର ବାରର ଗୌରବମୟ ଇତିହାସ ସମ୍ପର୍କରେ ଆଲୋଚନା କରି ଏହି ବାରରୁ ଅନେକ ବ୍ୟକ୍ତି ରାଜ୍ୟ ଆଇନସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି ବୋଲି କହିଥିଲେ । କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚଡି ଏହି ଅବସରରେ ବକ୍ତବ୍ୟ ରଖି ପରିବେଶ ସୁରକ୍ଷା ଆଇନ ଉପରେ ଆଲୋଚନା କରିଥିଲେ । ଏହି ବାର୍ଷିକ ଉତ୍ସବରେ କେନ୍ଦୁଝର ଜିଲାରେ ୫୦ ବର୍ଷରୁ ଅଧିକ ଆଇନସେବା ଯୋଗାଇଥିବା କେନ୍ଦୁଝର ବାରର ଶୃତିକାନ୍ତ ସାହୁଙ୍କୁ ସ୍ୱର୍ଗତଃ ଶ୍ରୀକାନ୍ତ ମହାପାତ୍ର ସମ୍ମାନ,ବିଦ୍ୟାଧର ପୃଷ୍ଟିଙ୍କୁ ସ୍ୱର୍ଗତଃ ଦାଶରଥି ମହାନ୍ତ ସମ୍ମାନ,ପ୍ରଫୁଲ୍ଲ କୁମାର ପାତ୍ରଙ୍କୁ ସ୍ୱର୍ଗତଃ କରୁଣାକର ପ୍ରଧାନ ସମ୍ମାନ,ଚତୁର୍ଭୁଜ ହୋତାଙ୍କୁ ସ୍ୱର୍ଗତଃ କୀର୍ତ୍ତନ ବିହାରୀ ପଟ୍ଟନାୟକ ସମ୍ମାନ,ଗୋପାଳକୃଷ୍ଣ ପରିଡାଙ୍କୁ ସ୍ୱର୍ଗତଃ ଅମ୍ବିକା ପ୍ରସାଦ ଦାସ ସମ୍ମାନ,ଚମ୍ପୁଆ ବାରର ନିର୍ମଳ ଚନ୍ଦ୍ର ନନ୍ଦଙ୍କୁ ସ୍ୱର୍ଗତଃ ଶଶୀଭୁଷଣ ମିଶ୍ର ସମ୍ମାନ,ଆନନ୍ଦପୁର ବାରର ଅଚ୍ୟୁତାନନ୍ଦ ପଣ୍ଡାଙ୍କ ଅନୁପସ୍ଥିତିରେ ଜାମାତା ବରିଷ୍ଠ ଆଇନଜୀବି ହରେକୃଷ୍ଣ ମିଶ୍ରଙ୍କୁ ସ୍ୱର୍ଗତଃ ମୁରଲୀଧର ପାଇକରାୟ ସମ୍ମାନ,ଆନନ୍ଦପୁର ବାରର ଭୁବନାନନ୍ଦ ଦାଶଙ୍କୁ ସ୍ୱର୍ଗତଃ ଶଶୀ ରଂଜନ ସାହୁ ସମ୍ମାନ, ରାଜ୍ୟ ଆଇନଜୀବି ପରିଷଦର ନବନିର୍ବାଚିତ ସଦସ୍ୟ ଗିରିଜା ଶଙ୍କର ମିଶ୍ରଙ୍କୁ ସ୍ୱର୍ଗତଃ ଭାଗିରଥି ମହାନ୍ତ ସମ୍ମାନ ଓ ସାଧାରଣ ଅଭିଯୋଜକ ପରୀକ୍ଷାରେ କୃତକାର୍ଯ୍ୟର୍ ହୋଇଥିବା ଯୋଗେଶ୍ୱର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲା ଓକିଲ ସଂଘର ସମ୍ପାଦକ ସଂଜୀତ କୁମାର ଦାସ ଧନ୍ୟବାଦ ଅର୍ପଣ କରାଯାଇଥିବାବେଳେ ଉପସଭାପତି ଅଲୋକ କୁମାର ମହାନ୍ତ ମଂଚାସୀନ ଥିଲେ । ଦେବାଶିଷ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ । ପ୍ରାରମ୍ଭରେ ମା’ ତାରିଣୀଙ୍କ ଫଟୋରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

Exit mobile version