ଭୁବନେଶ୍ୱର : ଓଡ଼ିଶାରେ ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ରୋମାଣ୍ଟିକ ଗୀତରେ ମତୁଆଲା ହୋଇ ଉଠନ୍ତି ଶ୍ରୋତାଗଣ । ହେଲେ ଏହି କଣ୍ଠଶିଳ୍ପୀ ଏବେ ବିବାଦ ଘେରରେ ଫସିଛନ୍ତି। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପତ୍ନୀ ତାଙ୍କ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ବଲାଙ୍ଗୀରର ଏହି କଣ୍ଠଶିଳ୍ପୀ ଏବେ କଟକ ସେକ୍ଟର ୬ରେ ରହୁଥିବା ଖବର ରହିଛି। ଗତ କିଛି ମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ସେହିପରି ପାରିବାରିକ ଅଶାନ୍ତି ଯୋଗୁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଥିଲେ ।
ଆଉ ଗତକାଲି ଡିସିପିଙ୍କ ଅଫିସକୁ ଯାଇ ଏନେଇ ସେ ଅଭିଯୋଗ କରିଛନ୍ତି । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅନେକ ସମୟରେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ଥାଆନ୍ତି ହ୍ୟୁମାନ ସାଗର । ଅନେକ ତାଙ୍କ ରୋମାଣ୍ଟିକ ଭଏସରେ ଫିଦା ହୋଇଥାନ୍ତି । ହେଲେ ଗତ କିଛି ମାସ ତଳେ ଗୀତକୁ ନେଇ ଖୁବ ଟ୍ରୋଲ ହୋଇଥିଲେ ହ୍ୟୁମାନ ସାଗର । ‘ଝିଅ ନୁହେଁ ତୁ କୋରୋନା ଭାଇରସ୍’ଏହି ଗୀତକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଥିଲା। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ଗୀତକୁ ଗାଇ ସେତେବେଳେ ଟ୍ରୋଲର ଶିକାର ହୋଇଥିଲେ । ଏହି ଗୀତରେ କୋରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଥିଲା।