Site icon ଆଜିକାଲି

ପାନୀୟଜଳ ପାଇଁ ଲମ୍ବା ଧାଡ଼ି

କେନ୍ଦୁଝର, (ନିପ୍ର) ପାନୀୟଜଳ ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସଙ୍ଗମ ଓ ଡଙ୍ଗାଚୁଆ ଗ୍ରାମରେ ଜଳ ସଂକଟ ଉତ୍କଟ ହୋଇଛି। ସଙ୍ଗମଠାରେ ଏକ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଥିଲା।‌ ୧୫ଦିନ ହେଲା ଏହି ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଫଳରେ ଗାଁରେ ଥିବା ଏକମାତ୍ର ନଳକୂପ ଉପରେ ୫୦ରୁ ଊର୍ଦ୍ଧ୍ବ ପରିବାର ନିର୍ଭର କରୁଛନ୍ତି। ନଳକୂପରୁ ଅଳ୍ପଅଳ୍ପ ପାଣି ବାହାରୁଛି। ବାଲଟିଏ ପାଣି ପାଇଁ ମହିଳାମାନେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେଉଛନ୍ତି। ଏପରିକି ଅନେକ ସମୟରେ ପାଣିପାଇଁ ଲୋକଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଛି। ଓଭରହେଡ୍‌ ଟାଙ୍କିକୁ ଆବଶ୍ୟକ ପାଣି ଉଠାଯାଉ ନଥିବାରୁ ଡଙ୍ଗାଚୁଆ ଗାଁରେ ପାଣି ପହଞ୍ଚି ପାରୁନାହିଁ। ଏନେଇ ଗ୍ରାମବାସୀଙ୍କ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ସମସ୍ୟାର ସାମାଧାନ ଲାଗି ଲକ୍ଷ୍ମଣ କିସ୍କୁ, ରଘୁ ମାଝୀ, ଦୁଲାରୀ ବେହେରା, ଦାନିଗୀ ମାଝୀ, ଅନିତା ମାଝୀ, ଅଞ୍ଜଳି କିସ୍କୁ, ଅର୍ଜୁନ ମାଝୀ, ରାମ ମାଝୀ, ହଜେନ୍ଦ୍ର ସେନାପତି, ସୁବାସ ମହାକୁଡ, ମହେନ୍ଦ୍ର ସେନାପତି, ସବିତା ସେନାପତି, ସାଳାୟ ମାଝୀ, ରମେଶ ମାଝୀ, ମଲ୍ଲୀ ସେନାପତି ପ୍ରମୁଖ ଦାବି କରିଛନ୍ତି। ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ରାସ୍ତାରେ ବସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଢେଙ୍କା ସରପଞ୍ଚଙ୍କୁ ପଚାରିବାରୁ, ଏହି ପ୍ରକଳ୍ପ ପଞ୍ଚାୟତକୁ ହସ୍ତାନ୍ତର ହୋଇନଥିବା ସେ କହିଛନ୍ତି। ତଥାପି ସେ ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ସେହିପରି ପ୍ରକଳ୍ପ ନିର୍ମାଣ କରିଥିବା ଠିକାଦାରଙ୍କୁ ପଚାରିବାରୁ, ଏକ ଭଲ୍‌ବ କଟିଯାଇଥିବାରୁ ପାଣି ବାହାରୁ ନଥିଲା। ଦିନକ ଭିତରେ ଏହାକୁ ମରାମତି କରି ଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Exit mobile version