Site icon ଆଜିକାଲି

ଆଜିଠୁ ଶୁଖିଲା ପାଗ: ୨୩ରେ ପୁଣି ଏକ ଲଘୁଚାପ, ୨୨ରୁ ବଢ଼ିବ ବର୍ଷା

ଭୁବନେଶ୍ୱର : ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ମଙ୍ଗଳବାର ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ମଙ୍ଗଳବାର ଠାରୁ ଏହାର ପ୍ରଭାବ ରହିବନି ଓ ପାଗ ପ୍ରାୟତଃ ଶୁଖିଲା ରହିବ । ୧୭ ଓ ୧୮ ତାରିଖରେ ବିଶେଷ ବର୍ଷା ନାହିଁ ଓ ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି ।

ଆସନ୍ତା ୨୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୩ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହୋଇପାରେ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ ୧୦୩ମିମି ବର୍ଷା ହୋଇଛି । ବାରିପଦାରେ ୭୯, ଦାରିଙ୍ଗିବାଡ଼ିରେ ୪୧, ଢେଙ୍କାନାଳରେ ୨୭ ଓ କେନ୍ଦୁଝରରେ ୨୬ମିମି ବର୍ଷା ରେକର୍ଡ ହୋଇଛି । ସୋମବାର ସକାଳୁ ନେଇ ସନ୍ଧ୍ୟା ଭିତରେ ଭଦ୍ରକରେ ୪୯ମିମି, ଯାଜପୁରରେ ୨୫, ଦାରିଙ୍ଗିବାଡ଼ିରେ ୧୦ ଓ ବାଲେଶ୍ୱରରେ ୭ମିମି ବର୍ଷା ହୋଇଛି । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ପାର୍‌ କରିଛି । ଜାମଶୋଳାଘାଟଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଯାଇଛି । ସେହିଭଳି ମଥାନି ରୋଡ୍‌ ବ୍ରିଜ୍‌ ପାଖରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଯାଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବଢୁଛି ।

ସୋମବାର ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ବାଲେଶ୍ୱର ଜିଲ୍ଲା ସମେତ ମୟୂରଭଞ୍ଜ ଓ ସୁନ୍ଦରଗଡ଼ର ସ୍ଥିତି ସମୀକ୍ଷା କରିଛନ୍ତି । ବାଲେଶ୍ୱରରେ ୧୦ଟି ଅଗ୍ନିଶମ ଟିମ୍‌, ୬ଟି ଓଡ୍ରାଫ ଟିମ୍‌ ଓ ଗୋଟିଏ ଏନଡିଆରଏଫ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ମୟୂରଭଞ୍ଜରେ ୧୨ଟି ଅଗ୍ନିଶମ, ୭ଟି ଓଡ୍ରାଫ୍‌ ଓ ୧ଟି ଏନଡିଆରଏଫ ଟିମ୍‌ ରଖାଯାଇଛି । ଅଧିକ ବର୍ଷା ହୋଇଥିବାରୁ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ଏଡିଏମ, ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍‌ ତଦାରଖ ଦାୟିତ୍ୱରେ ବରିଷ୍ଠ ଅଧିକାରୀଙ୍କୁ ରଖିବାକୁ କୁହାଯାଇଛି ।

Exit mobile version