Site icon ଆଜିକାଲି

ବର୍ଷା ପାଇଁ ଅଘଟଣ ! ଟ୍ରେନ୍ ଚକାରେ କଟିଗଲେ ୬ ଜଣ, ୪ ଗୁରୁତର

ଯାଜପୁର: ବାଲେଶ୍ୱର ଜିଲା ବାହାନଗା ଟ୍ରାଜେଡି ପରେ ଯାଜପୁର ରୋଡରରେ ଆଉ ଏକ ଲୋମଟାଙ୍କୁରା ଅଘଟଣ । ଟ୍ରେନ ୱାଗନ ତଳେ ବର୍ଷା ଲାଗି ଆଶ୍ରୟ ନେଇଥିବା ୬ ଜଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି । ଆଉ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ଅପରାହ୍ଣରେ ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ ।

ସୂଚନା ଅନୁସାରେ ବୁଧବାର ଅପରାହ୍ଣରେ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ। ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ଟି ଅଳ୍ପ ସମୟ ପରେ ଆଗକୁ ବଢ଼ିଥିଲା। ଫଳରେ ଟ୍ରେନ୍‌ର ଚକା ତଳେ ଘଟଣାସ୍ଥଳରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଥିମଧ୍ୟରୁ ୨ ଜଣ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବହୁ ଦିନ ଧରି ସେଠାରେ ଥିବା ୱାଗନ ତଳେ କିଛି ଶ୍ରମିକ ଶୋଇ ରହିଥିଲେ ତେବେ ଏହି ସମୟରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ୱାଗନଟି ଆପେ ଆପେ ଗଡ଼ି ଯାଇଥିଲା । ଲୋକେ ଦେଖୁ ଦେଖୁ ଭୟଙ୍କର ଅଘଟଣ ଘଟିଯାଇଥିଲା । ସମସ୍ତେ ଶ୍ରମିକ ଥିବା କୁହାଯାଉଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Exit mobile version