Site icon ଆଜିକାଲି

‘ମେଣ୍ଡୋସ୍‌’ ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା, ବଢ଼ିବ ପାରଦସ୍ତର

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ମେଣ୍ଡୋସ୍‌’ ଶୁକ୍ରବାର ମଧ୍ୟରାତି ସୁଦ୍ଧା ଉତ୍ତର ତାମିଲନାଡୁ, ପୁଡୁଚେରି ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ତେବେ ଏହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ୯ ତାରିଖ (ଶୁକ୍ରବାର) ସକାଳ ସାଢ଼େ ୮ଟାରୁ ୧୦ ତାରିଖ (ଶନିବାର) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଠିକ୍‌ ସେହିପରି ୧୦ ତାରିଖ (ଶନିବାର) ସକାଳ ସାଢ଼େ ୮ଟାରୁ ୧୧ ତାରିଖ (ରବିବାର) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟର ରାତି ତାପମାତ୍ରା ବଢ଼ିବ। ବର୍ଷା ପ୍ରଭାବରେ ରାଜ୍ୟର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

Exit mobile version