Site icon ଆଜିକାଲି

ବାଲେଶ୍ୱର ସହର ଦୁର୍ଗାପୂଜା ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ଗାନ୍ଧି ସ୍ମୃତି ଭବନ ପ୍ରେକ୍ଷାଳୟରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦୁର୍ଗାପୂଜା ଚଳିତବର୍ଷ କିପରି ଶାନ୍ତିଶୃଙ୍ଖଳାର ସହ ପାଳିତ ହେବ ଏହା ଉପରେ ପ୍ରଶାସନ ଓ ପୂଜା କମିଟିମାନଙ୍କର ଏକ ମିଳିତ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମରେଶ ପାଣିଗ୍ରାହୀ, ଉପ-ଜିିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ ସେନ ଜଗଦ୍ଦେବ, ସହକାରୀ ଜିଲାପାଳ ସ୍ୱାଗତିକା ଦାସ, ଅନ୍ୟ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ, ଟ୍ରାଫିକ ପୋଲିସ ଅଧିକାରୀ, ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ, ପୂଜା କମିଟିମାନଙ୍କର କର୍ମକର୍ତ୍ତା ଯୋଗଦେଇଥିଲେ । ଜିଲାପାଳ ଶ୍ରୀ ଶିନ୍ଦେ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ବୈଠକରେ ସହମତି ଭିତ୍ତିରେ ନିଆଯାଇଥିବା ପୂଜା ପାଳନ କରିବା ନିମନ୍ତେ ଅନୁରୋଧ କରିଥିଲେ ।

ପ୍ରକାଶଥାଉକି କୋଭିଡ୍ ମହାମାରୀ ପାଇଁ ଗତ ଦୁଇବର୍ଷ ହେଲା ବିଧିରକ୍ଷା ପୂଜା ହୋଇଆସୁଥିବାରୁ ଚଳିତବର୍ଷ ପୂଜା ପାଇଁ ରହିଛି ଅନେକ ଉଦ୍ଦୀପନା । ସହରରେ ପ୍ରାୟ ୧୫୦ ପୂଜା ପାଳନ କରାଯାଉଛି । ବୈଠକରେ ନିଷ୍ପତି ମୁତାବକ ପିଣ୍ଡି ସହ ମୂର୍ତ୍ତି ୧୨ ଫୁଟ୍‌ର ଅଧିକ ହେବ ନାହିଁ । ମେଡ଼ିକାଲ ଛକରୁ ପାଣିଟାଙ୍କି ଛକ ପର୍ଯ୍ୟନ୍ତ ଥିବା ସାଇଲେନ୍ସ ଜୋନ୍‌, ଡାକ୍ତରଖାନା, ବାଳାଶ୍ରମ ଓ ଶିକ୍ଷାୟତନ ନିକଟରେ ଡାକବାଜି ଯନ୍ତ୍ର ବ୍ୟବହାର ନିଷେଧ କରାଯାଇଛି । ଭସାଣି ଶୋଭାଯାତ୍ରା ନିମନ୍ତେ ଅନୁମତି ନିମିତ୍ତ ଆବେଦନ କରିବା ପାଇଁ ଆସନ୍ତା ୨୩ରୁ ୨୬ ତାରିଖ ସମୟ ଅବଧି ରଖାଯାଇଛି । ପୂଜାରେ ଶବ୍ଦ ୬୦ ଡେସିମିଲରୁ ଅଧିକ ହେବ ନାହିଁ ଏବଂ ଡିଜେର ବ୍ୟବହାର ହେବ ନାହିଁ । ଭସାଣି ଶୋଭାଯାତ୍ରାରେ ବାଣର ବ୍ୟବହାର ହେବ ନାହିଁ । ରାବଣ ପୋଡ଼ି ଅକ୍ଟୋବର ୪ ତାରିଖ ନବମୀ ଦିନ କରାଯିବ । ପୂଜା ପାଇଁ ଦଶହରା ଓ ଭସାଣି (ଅକ୍ଟୋବର ୫ ଓ ୬ ତାରିଖ) ଦୁଇଦିନ ସମସ୍ତ ମଦ ଦୋକାନ ବନ୍ଦ ରହିବ । ପୂଜା ପେଣ୍ଡାଲରେ କର୍ମକର୍ତ୍ତା ମହିଳା ଓ ପୁରୁଷମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶର ବ୍ୟବସ୍ଥା କରିବେ ଏବଂ ୨୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ କରିବେ । ପୂଜାକମିଟି ମାନେ କେଉଁ ରାସ୍ତାରେ ଭସାଣି ଶୋଭାଯାତ୍ରା ନେବେ ଡିଆଇବିକୁ ପୂର୍ବରୁ ସୂଚିତ କରିବେ । ପୂଜା ପେଣ୍ଡାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବେ । ବିଦ୍ୟୁତିକରଣ କରିବା ପାଇଁ କଣ୍ଟ୍ରାକ୍ଟର ମାଧ୍ୟମରେ କାର୍ଯ୍ୟ କରିବେ । ଯେଉଁମାନଙ୍କର ସ୍ଥାୟୀ ମିଟର ଥିବ ସେମାନେ ବିଲ୍ ଅନୁଯାୟୀ ଦେୟ ଦେବେ ଏବଂ ଅସ୍ଥାୟୀ ସଂଯୋଗ ଧାର୍ଯ୍ୟ ଦର ଅନୁଯାୟୀ କରାଯିବ । ବୀରାଷ୍ଟମୀ ଆଖଡ଼ା ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଏବଂ ସିନେମାଛକରେ ଦଶହରା ଆଖଡ଼ା ଅପରାହ୍ନ ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ପୂଜାରେ କୌଣସି ତୀକ୍ଷ୍‌ଣ ଅସ୍ତ୍ରର ବ୍ୟବହାର ହେବ ନାହିଁ । ପୂଜା କମିଟିର ସଭାପତି ଓ ସମ୍ପାଦକମାନେ ପେଣ୍ଡାଲ ନିକଟରେ ଉପସ୍ଥିତ ରହିବେ । ଶବ୍ଦର ବ୍ୟବହାର ସୀମା ଟପିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୂର୍ତ୍ତିକୁ ଛାଡ଼ି ସର୍ବୋଚ୍ଚ ୪ଗୋଟି ରିକ୍ସାର ବ୍ୟବହାରକୁ ଭସାଣି ଶୋଭାଯାତ୍ରା ନିମନ୍ତେ ଅନୁମତି ଦିଆଯାଇଛି । ଭସାଣି ଶୋଭାଯାତ୍ରା ନିମନ୍ତେ ସର୍ବୋଚ୍ଚ ୪ଟି ସାଉଣ୍ଡବକ୍ସ ତଥା ୮ଟି ସ୍ପିକରର ବ୍ୟବହାରକୁ ଅନୁମତି ମିଳିଛି । ଭସାଣି ନିମନ୍ତେ ୪ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯିବ । ପୂଜା ପୂର୍ବରୁ ରାସ୍ତାଘାଟର ମରାମତି ନିମନ୍ତେ ଉପଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ । ପରସ୍ପର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପୂଜା ପାଳନର ଆଶା ସହିତ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ କହିଥିଲେ ।

Exit mobile version