Site icon ଆଜିକାଲି

ଚମ୍ପୁଆରେ ଶିକ୍ଷା ବ୍ୟବସ୍ଥା ଫେଲ : ସରକାରୀ ବିଦ୍ୟାଳୟରୁ କେହି ପାଇଲେନି ଏ.୧ କିମ୍ବା ଏ.୨

କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ଚମ୍ପୁଆ ସଦର ମହକୁମା ଅଂଚଳରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକ ଶତ ପ୍ରତିଶତ ପରୀକ୍ଷା ଫଳ ତ ଦେଉଛନ୍ତି କିନ୍ତୁ ଏ.୧ କିମ୍ବା ଏ.୨ ଗ୍ରେଡ଼ରେ କୌଣସି ଛାତ୍ର ଛାତ୍ରୀ ନ ରହିବା ଚମ୍ପୁଆ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି କ୍ଷ ୧୯୪୮ ମସିହାରେ ପ୍ରତିଷ୍ଠିତ ସର୍ବ ପୁରାତନ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟ ଦିନକୁ ଦିନ ତାର ଦୃତ ଗୌରବ ହରାଉ ଥିବାବେଳେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଶିକ୍ଷାବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି । ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ପାସ ହାର ୯୪.୭୧ ରହିଥିବା ବେଳେ ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ଜଣେ ହେଲେ ଛାତ୍ର ଏ.୧ କିମ୍ବା ଏ.୨ ରେ ପାସ କରି ନ ପାରିବା ଏହି ବିଦ୍ୟାଳୟ ର ଗାରିମା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି କ୍ଷ ଏକଦା ଶିକ୍ଷା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ସର୍ବ ପୁରାତନ ବିଦ୍ୟାଳୟରେ ଚଳିତ ବର୍ଷ ୧୬୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୬୦ ଜଣ ପାସକରିଥିବା ଜଣାପଡିଛି । ହେଲେ ସେଥି ମଧ୍ୟରୁ ବି.୧ ରେ ୪ ଜଣ ବି.୨ ରେ ୧୬ ଜଣ ଓ ସି ରେ ୩୯ ଜଣ ଓ ଡି ରେ ୪୮ ଜଣ ଛାତ୍ର ଛାତ୍ରୀ ପାସ କରିଥିବାବେଳେ ଏ.୧ ଓ ଏ.୨ ରେ କେହି ବି ପାସ କରି ନାହାନ୍ତି । ଗୋଟିଏ ପଟେ ଶିକ୍ଷକ ଙ୍କ ଅବହେଳା ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହେଉଥିବାବେଳେ ଅନ୍ୟ ପଟେ ଏହି ବିଦ୍ୟାଳୟର ଶିକ୍ଷକ ମାନେ ନିଜ ନିଜ ଦାୟିତ୍ୱରୁ ବିଚ୍ୟୁତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଭାବରେ ପାଠ ପଢାଉ ନ ଥିବା ସହ ସ୍କୁଲ ସମୟରେ ଶିକ୍ଷକ ମାନେ ବିଦ୍ୟାଳୟରେ ନ ରହି ଅନ୍ୟ କାର୍ଯ୍ୟରେ ନିୟୋଜିତ ହେଉଥିବା ସାରା ଚମ୍ପୁଆରେ ଚର୍ଚ୍ଚା ହେଉଛି । ଏହି ସର୍ବ ପୁରାତନ ବିଦ୍ୟାଳୟ ଦିନକୁ ଦିନ ଖରାପ ଫଳ ପ୍ରଦର୍ଶନ କରୁଥିବାବେଳେ ନିକଟରେ ୫ଟି ରୂପାନ୍ତରିତ ଯୋଜନାରେ ନିଜର ନବ କଳେବର କୁ ନେଇ ଚର୍ଚ୍ଚା ର ପରିଧିକୁ ଆସିଥିବା ଏହି ସର୍ବ ପୁରାତନ ବିଦ୍ୟାଳୟ ର କାୟା କଳ୍ପ ସିନା ବଦଳି ଗଲା ମାତ୍ର ଶିକ୍ଷା ବିକାଶରେ କୌଣସି ପରିବର୍ତନ ନ ହେବା ଏଠାରେ ଶିକ୍ଷା ବିକାଶ ର ବିକଳ ଚିତ୍ର କୁ ସ୍ପଷ୍ଠ କରି ସାରିଛି । ଯାହାରି ପାଇଁ ଦିନକୁ ଦିନ ଏହି ସରକାରୀ ବିଦ୍ୟାଳୟରୁ ଅଭିଭାବକ ମୁହଁ ଫେରାଉଥିବା ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଚମ୍ପୁଆ ବ୍ଲକରେ ମହତାବ ଉଚ୍ଚ ବିଦ୍ୟାଳୟ ପରି ଅନ୍ୟ କୌଣସି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏ.୧ କିମ୍ବା ଏ.୨ ରେ କୌଣସି ଛାତ୍ର, ଛାତ୍ରୀ ପାସ କରି ନ ପାରିବା ଏଠାକାର ଶିକ୍ଷା ବିକାଶ ର ପାରିବା ପଣିଆକୁ ସ୍ପଷ୍ଟ କରି ସାରିଛି । ମହତାବ ଉଚ୍ଚ ବିଦ୍ୟାଳୟ ପରି ଏକଦା ଚମ୍ପୁଆ ବ୍ଲକର ଗାରିମା ବହନ କରୁଥିବା ଚମ୍ପୁଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥ ପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଜ୍ୟୋତିପୁର ସରକାରୀ ଉଚ୍ଚ ବିଦ୍ୟାଳୟ, କାଳିକା ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ଶତ ପ୍ରତିଶତ ପରୀକ୍ଷା ଫଳ ସିନା ଦେଉଛନ୍ତି ମାତ୍ର ଏ.୧ ଓ ଏ.୨ ରେ କେହି ପାସ କରି ପାରି ନ ଥିବା ଚମ୍ପୁଆ ବ୍ଲକ ରେ ଶିକ୍ଷା ବିକାଶ ର ନଗ୍ନ ଚିତ୍ରକୁ ଉଜାଗର କରି ସାରିଛି । ତେବେ ଯେଉଁ ବିଦ୍ୟାଳୟ ଗୁଡିକ ପୂର୍ବରୁ ଉଚ୍ଚ କୋଟିର ଫଳାଫଳ ପ୍ରଦର୍ଶନ କରି ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବେ ସରକାର ୫ଟି ଯୋଜନାରେ ସମସ୍ତ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରିବାକୁ ଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଅଗ୍ରଣୀ ବିଦ୍ୟାଳୟ ଗୁଡିକରେ ଆଶାନୁରୂପକ ଫଳା ଫଳ ମିଳୁ ନ ଥିବାରୁ ସରକାରୀ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ମାନଙ୍କ ଶିକ୍ଷାଦାନ ର ବାସ୍ତବ ସ୍ଥିତିକୁ ନେଇ ଶିକ୍ଷାବିତ୍ ଏବଂ ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟିଛି ।

Exit mobile version