Site icon ଆଜିକାଲି

ନିର୍ବାଚନ ଗତିବିଧି: ସବୁ ପ୍ରମୁଖ ଦଳର ପ୍ରାର୍ଥୀ ତାଲିକାକୁ ନେଇ ଉତ୍କଣ୍ଠା

ଭୁବନେଶ୍ୱର – ଧୀରେ ଧୀରେ ଉଷ୍ମ ହେଉଛି ରାଜ୍ୟର ନିର୍ବାଚନୀ ମାହୋଲ । ପ୍ରମୁଖ ଦଳଗୁଡିକ ନିଜ ନିଜର ରଣନୀତିକୁ ଚୂଡାନ୍ତ ରୂପ ଦେବାରେ ବ୍ୟସ୍ତ। ପ୍ରାର୍ଥୀ ଚୟନ ନେଇ ବି କସରତ ଜୋର୍ ଧରିଛି । ସବୁ ଦଳର ସମର୍ଥକ ଅପେକ୍ଷା କରିଛନ୍ତି ପ୍ରାର୍ଥୀ ତାଲିକାକୁ । ଆଶାୟୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପର୍ଯ୍ୟାୟ କ୍ରମେ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି । ଏଣେ ଆଜି ଶଙ୍ଖ ଭବନରେ ଛାତ୍ର ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ ବସିବାକୁ ଯାଉଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବୈଠକରେ ଆସନ୍ତା ନିର୍ବାଚନରେ ଛାତ୍ର ବିଜେଡିର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।

ଏଣେ ରାଜ୍ୟ ବିଜେପି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ପ୍ରାର୍ଥୀ ଚୟନ ତାଲିକାକୁ ଅପେକ୍ଷା କରିଛି । ଗତକାଲି ଦିଲ୍ଲୀରେ ବସିଥିବା ବିଜେପିର କେନ୍ଦ୍ରୀୟ ସିଇସି ବୈଠକରେ ଓଡ଼ିଶା ବାବଦରେ ବି ଆଲୋଚନା ହୋଇଥିବା ଜଣାପଡ଼ିଛି।

ରାଜ୍ୟ କଂଗ୍ରେସ ମଧ୍ୟ ଦଳର କେନ୍ଦ୍ରୀୟ କମିଟିରୁ ପ୍ରାର୍ଥୀ ତାଲିକାକୁ ଚାହିଁ ବସିଛି । ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲେ ବାତାବରଣ ଆହୁରି ସରଗରମ ହେବା ସହ ପ୍ରଚାର ଆରମ୍ଭ ହୋଇଯିବା ଆଶା କରାଯାଉଛି ।

Exit mobile version