Site icon ଆଜିକାଲି

ରାଜ୍ୟର ବିକାଶରେ ସବୁ ବେଳେ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର: ରାଜ୍ୟର ବିକାଶରେ ସବୁ ବେଳେ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି। ୨୦୨୩-୨୪ ବଜେଟ୍ ପରିପ୍ରେକ୍ଷୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଏହା ପ୍ରକାଶ କରିଛନ୍ତି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତୀ ବେହେରା।

ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଇଲେକ୍‌ଟ୍ରୋନିକ୍‌ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା , ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଯୋଗଦେଇ ଚଳିତ ବର୍ଷ ଉପସ୍ଥାପିତ ବିଭାଗୀୟ ବଜେଟ୍‌ର ବିଭିନ୍ନ ପ୍ରସ୍ତାବ, ବ୍ୟୟବରାଦ ଓ ସେସବୁର ଉତ୍କୃଷ୍ଟତା ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ମନ୍ତ୍ରୀ ଶ୍ରୀ ବେହେରା ସୂଚନା ପ୍ରଦାନ କରି କହିଲେ ଯେ , ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ଚଳିତବର୍ଷ ଯେଉଁ ବଜେଟ୍ ପ୍ରସ୍ତୁତ ହୋଇଛି , ସେଥିରେ ଇଲେକ୍‌ଟ୍ରୋନିକ୍‌ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ପ୍ରାଥମିକତା ଦିଆଯାଇଛି।

ରାଜ୍ୟର ବିକାଶରେ ଏହି ବିଭାଗର ଏକ ପ୍ରମୁଖ ଭୂମିକା ରହିଅଛି। ଓଡ଼ିଶା ଭବିଷ୍ୟତରେ ଏକ ଜ୍ଞାନ ଆଧାରିତ ଅର୍ଥନୀତି ରାଜ୍ୟରେ ପରିଗଣିତ ହେବ ବୋଲି ବିଶ୍ଵାସ ରହିଛି। ରାଜ୍ୟ ସରକାର ଇଲେକ୍‌ଟ୍ରୋନିକ୍‌ସ ନୀତି , ପ୍ରଯୁକ୍ତି ବିଦ୍ୟା ନୀତି , ବିପିଓ ନୀତି ଏବଂ ଡାଟା ସେଣ୍ଟର ନୀତି ଆଦି ଚାରି ଗୋଟି ନୂତନ ନୀତିକୁ ଅନୁମୋଦନ କରିଛନ୍ତି। ଏହି ନୀତିଗୁଡ଼ିକ ଦେଶର ସର୍ବୋତ୍ତମ ଏବଂ ଗୁରୁତ୍ଵପୂର୍ଣ୍ଣ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିପାରିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ।

ମେକ୍– ଇନ୍ – ଓଡ଼ିଶା କନକ୍ଳେଭ ସମୟରେ ସ୍ଵାକ୍ଷରିତ ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟ ହାସଲ କରିବାରେ ସରକାର ସକ୍ଷମ ହୋଇଛନ୍ତି। ଇଲେକ୍‌ଟ୍ରୋନିକ୍‌ସ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକୁ ରାଜ୍ୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଇବିଏମ୍ , ଡେଲୋଏଟ୍, ହାପିଷ୍ଟ ମାଇଣ୍ଡସ୍ , ପିଡବ୍ଲ୍ୟୁଡି, ଇନ୍‌କ୍ୟୁଟର, ଇନୋଭେୟାରଟେକ୍ , ଓପେକ୍ସ ଆମେରିକା , ୟୋଭାଣ୍ଟ ଏବଂ ଅନ୍ୟାନ୍ୟ ଆଇଟି କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ଖୋଲି ସାରିଛନ୍ତି ଏବଂ ଆହୁରି ଅନେକ କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ପ୍ରତିଷ୍ଠା ପାଇଁ ଇଚ୍ଛୁକତା ପ୍ରକାଶ କରିଛନ୍ତି। ରାଜ୍ୟ ମାଲିକାନାରେ ଥୁବା ଆଇଟି ଟାୱାରରେ କାର୍ଯ୍ୟ କରୁଥିବା ଆଇଟି କମ୍ପାନୀଗୁଡ଼ିକ ପାଇଁ ଲିଜ୍ ଭଡ଼ା ବର୍ଗଫୁଟ ପିଛା ୨୦ ଟଙ୍କାକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ଯାହା ଓଡ଼ିଶାକୁ ଏକ ଆଇଟି ଗନ୍ତବ୍ୟ ସ୍ଥଳରେ ପରିଣତ କରିଛି ବୋଲି ସେ ସୂଚନା ଦେଇଥିଲେ। ଆନ୍ତର୍ଜାତିକ ଆଇଟି କମ୍ପାନୀର ସହଭାଗିତାରେ ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ଏବଂ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷିତ କରିବା ସହିତ କୃତ୍ରିମ ବୁଦ୍ଧିମତ୍ତାର ଏକ ସହରୀ କ୍ଷେତ୍ର ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ପୁରୀ , ଭୁବନେଶ୍ବର ଓ କଟକ ଅଞ୍ଚଳରେ ପ୍ରବର୍ତ୍ତନ କରାଯିବ। ଏଥିପାଇଁ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ମଧ୍ୟ ତାଲିମ୍ ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ରାଜ୍ୟର ୧୩୩ଟି ବ୍ଲକ୍‌ରେ ମୌଳିକ ଭିତ୍ତିଭୂମି ମାଧ୍ୟମରେ ଇଣ୍ଟରନେଟ୍ ଲିଜ୍ ଲାଇନ୍‌ର ଉପଲବ୍ଧତା ପାଇଁ ରାଜ୍ୟ ସରକାର ୨୬.୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଯାହାଦ୍ଵାରା ଗ୍ରାମାଞ୍ଚଳ ନାଗରିକମାନଙ୍କର ଡିଜିଟାଲ ଦୁନିଆରେ ପ୍ରବେଶ ସହଜଲଭ୍ୟ ହୋଇପାରିବ। ଗ୍ରାମପଞ୍ଚାୟତ ସ୍ତରରେ ଥିବା ସରକାରୀ ଅନୁଷ୍ଠାନଗୁଡ଼ିକରେ ଭିଡିଓ କନ୍‌ଫରେନସିଂ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୧ ଜିବିପିଏସ୍ ଉଚ୍ଚ – ବ୍ୟାଣ୍ଡୱିଡ୍‌ଥ୍ ଯୋଗାଇ ଦିଆଯିବ ଯାହାଦ୍ଵାରା ଗ୍ରାମ ପଞ୍ଚାୟତ ନିକଟସ୍ଥ ସରକାରୀ ସଂସ୍ଥା ଯଥା- ସ୍କୁଲ , ଡାକ୍ତରଖାନାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ସହଜରେ ବିତରଣ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ବ୍ରଡବ୍ୟାଣ୍ଡ ସଂଯୋଗ ଫଳରେ ଗ୍ରାମଞ୍ଚଳ ଏବଂ ସହର ମଧ୍ୟରେ ପାର୍ଥକ୍ୟକୁ ଯଥେଷ୍ଟ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି।

ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଜରିଆରେ ବଜେଟ୍ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଯାଇ କହିଲେ ଚଳିତ ବର୍ଷ ବଜେଟ୍‌ରେ ଇଲେକ୍‌ଟ୍ରୋନିକ୍‌ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ ୩୬୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି। ମେକ୍ – ଇନ୍ – ଓଡ଼ିଶାର ସଫଳତା ପରେ ବହୁ ବଡ଼ ବଡ଼ ଆଇଟି କମ୍ପାନୀ ଓଡ଼ିଶାକୁ ଆସିବାକୁ ଇଚ୍ଛା କରୁଛନ୍ତି। ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜାଗା ଓ ଗୃହ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି , ଯାହାଦ୍ୱାରା ଓଡ଼ିଶାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସରକାରୀ ସେବାଗୁଡ଼ିକ ଜନସାଧାରଣଙ୍କ ମଧ୍ୟରେ ବିତରଣକୁ ସୁନିଶ୍ଚିତ କରିବା ପାଇଁ ‘ ମୋ ସେବାକେନ୍ଦ୍ର ’ ପ୍ରତିଷ୍ଠା କରାଯାଇଛି ଏବଂ ପଞ୍ଚାୟତ ସ୍ତରରେ ମୋ ସେବାକେନ୍ଦ୍ର କାର୍ଯ୍ୟ କରିବାକୁ ପଦକ୍ଷେପ ନିଆଯାଉଛି। ଏହାସହିତ ସାଇବର ଆଟାକ୍‌ରୁ ସରକାରୀ ତଥ୍ୟଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଛି।

ବର୍ତ୍ତମାନ ନାଗରିକମାନଙ୍କୁ ଓଡ଼ିଶା ୱାନ ପୋର୍ଟାଲ ଜରିଆରେ ଯୋଗାଇ ଦିଆଯାଉଥିବା ୫୫୦ଟି ସେବାକୁ ୬୫୦କୁ ଉନ୍ନୀତ କରିବାକୁ ଚେଷ୍ଟା ଜାରି ରହିଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ‘ ଓସ୍ୱାସ ’ ପରି ଏକ ଏଣ୍ଟରପ୍ରାଇଜ୍‌ ପ୍ଲାଟଫର୍ମ ଅଛି ସରକାରୀ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ସମସ୍ତ ବିଭାଗକୁ ସ୍ୱାସରେ ସଂଯୋଗ କରାଯିବା ସହିତ ଇ – ଡେସ୍‌ପାଚ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସ୍ୱାସ୍ ଜରିଆରେ ଟେକ୍ନୋଲୋଜିର ଦକ୍ଷ ଉପଯୋଗ ପାଇଁ ବଜେଟ୍‌ରେ ୧୯.୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଡାଟାର ନିର୍ଭର ଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଭିତରେ ଏକ କେବୁଲ ଲ୍ୟାଣ୍ଟିଂ ଷ୍ଟେସନ୍‌ ପ୍ରତିଷ୍ଠାର ଯୋଜନା ହୋଇଛି। ଏହି ଷ୍ଟେସନ୍‌ ପ୍ରତିଷ୍ଠା ଦ୍ଵାରା ଡାଟା ସେଣ୍ଟର , ଚିତ୍ତବିନୋଦନ , ଦୂରସଂଚାର ଏବଂ ଫିନ୍‌ଟେକ୍‌ ବଜାରକୁ ସଶକ୍ତ କରିବ। ଯାହାଦ୍ୱାରା ଓଡ଼ିଶା ପୂର୍ବଭାରତ , କେନ୍ଦ୍ରୀୟ ତଥା ଉତ୍ତର – ପୂର୍ବ ଭାରତ ପାଇଁ ଏକ ଡିଜିଟାଲ ହବ୍ ଭାବେ ଛଡ଼ା ହୋଇପାରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଇଲେକ୍ଟ୍ରୋନିକ୍‌ସ ଡିଜାଇନ୍‌ ଏବଂ ଉତ୍ପାଦନ କ୍ଷେତ୍ରରେ ଏକ ସୁବାତାବରଣ ସୃଷ୍ଟି କରିବାକୁ ୩୦ କୋଟି ଟଙ୍କା ବିନିଯୋଗରେ ଏକ ଉଚ୍ଚାଭିଳାସି ଓ ଓଡ଼ିଶା ଚିଫ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗବେଷଣା , ନମୂନା ପ୍ରସ୍ତୁତି , ପରୀକ୍ଷଣ ଏବଂ ଉତ୍ପାଦନ ପାଇଁ ସଠିକ୍ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ର ନାଥ ପରିଡ଼ା ଏବଂ ଯୁଗ୍ମ ନିର୍ଦ୍ଦେଶକ ଗୁରୁବୀର ସିଂ ପରିଚାଳନା କରିଥିଲେ।

Exit mobile version