Site icon ଆଜିକାଲି

ସାବକକୁ ଉଦ୍ଧାର କରିବାପାଇଁ ମନ୍ଦିର ପାଚେରୀ ଭାଙ୍ଗିଲେ ହାତୀପଲ

କେନ୍ଦୁଝର, (ବ୍ରଜକିଶୋର ରାୟ)  ସିଦ୍ଧଜଗନ୍ନାଥଙ୍କ ମନ୍ଦିର ପାଚେରୀ ଭାଙ୍ଗିଲେ ୬ଟିକିଆ ବଣୁଆ ହାତୀପଲ । କେନ୍ଦୁଝର ପୁରୁଣା  ସହର ସ୍ଥିତ ବହୁ ପୁରାତନ ସିଦ୍ଧମଠର ସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ବାହାର ପାଚେରୀ ଭାଙ୍ଗିବା ସହ, ଜଗନ୍ନାଥଙ୍କ ପାତାଳୀ କ୍ଷେତ୍ର ଓ ମନ୍ଦିର ଭିତର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି ହାତୀପଲ । ମଙ୍ଗଳବାର ଭୋର୍ ସମୟରେ ୬ଟିକିଆ ବଣୁଆ ହାତୀପଲ ରୁ ଗୋଟିଏ ଛୁଆ ହାତୀ ପଣସ ଖାଇବାକୁ ଆସି ସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ମଧ୍ୟରେ ପଶି ବାହାରକୁ ବାହାରି ପାରି ନଥିଲା । ଛୁଆହାତୀକୁ ମନ୍ଦିର ବାହାରକୁ ଆଣିବାକୁ ଯାଇ ଅନ୍ୟ ହାତୀମାନେ ମନ୍ଦିରର ପାଚେରୀ ଅନେକ ସ୍ଥାନରେ ଭାଙ୍ଗି ଦେଇଥିଲେ ବୋଲି ସିଦ୍ଧ ଜଗନ୍ନାଥଙ୍କ ସେବାୟତ ହରିହର ପାଢୀ ସୂଚନା ଦେଇଛନ୍ତି। ଶେଷରେ ହାତୀପଲରୁ ଏକ ବଡହାତୀ ମନ୍ଦିର ପାଚେରୀ ଭାଙ୍ଗି ଭିତର କୁ ଯାଇ ଛୁଆହାତୀକୁ ବାହାରକୁ ନେଇଯିବା ପରେ ହାତୀପଲ ସେଠାରୁ ଚାଲି ଯାଇଥିଲେ । ସିଦ୍ଧମଠ ଜଙ୍ଗଲରେ ୧୫ଦିନ ହେବ ୬ଟିକିଆ ହାତୀପଲ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସ୍ଥାନୀୟ କିଛି ଯୁବକ ହାତୀପଲଙ୍କୁ ଅଯଥା ଟର୍ଚ୍ଚି ମାରି ଭୟଭୀତ କରାଇଥିବାରୁ ହାତୀପଲ ଧନଜୀବନ ହାନୀ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକଙ୍କୁ ସଚେତନ କରିବା ସହ, ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା କରୁଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ବିଜୟ କୁମାର ମହାନ୍ତ ।

Exit mobile version