Site icon ଆଜିକାଲି

ଟ୍ରାଙ୍କୁଲାଇଜ୍‌ ହେଲା ନରହନ୍ତା ଦନ୍ତା, ୩ ଦିନରେ ନେଇଛି ୪ ଜୀବନ

ବେତନଟୀ : ବାରିପଦା ସଦର ରେଞ୍ଜରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତାକୁ ଶେଷରେ କାବୁ କରିଛି ବନ ବିଭାଗ । ଗୁରୁବାର ରାତି ପ୍ରାୟ ୧୦ଟାରେ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଟସରଡ଼ା ବାଦଲ ସାହିରେ ହାତୀକୁ କାବୁ କରାଯାଇଛି । ହାତୀକୁ କେଉଁଠି ଛଡ଼ାଯିବ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଦନ୍ତାଟି ୩ ଦିନରେ ୪ ଜଣଙ୍କ ଜୀବନ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି ।

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଶେଯରୁ ଜଣେ ମହିଳାଙ୍କୁ ଘୋଷାଡ଼ି ଆଣି ଅଗଣାରେ ଦଳି ଚକଟି ମାରିଥିଲା ଏହି ନରହନ୍ତା ଦନ୍ତା । ମୃତ ମହିଳା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଧିକାଶୋଳ ଗ୍ରାମର ସୀତାନାଥ ହାଁସଦାଙ୍କ ସ୍ତ୍ରୀ ମାନକା (୩୫) । ପୂର୍ବରୁ ଦନ୍ତାଟି ଦେଉଳି ରେଞ୍ଜରେ ଦୁଇ ଜଣ ଏବଂ ରାସଗୋବିନ୍ଦପୁର ରେଞ୍ଜର ଜଣକୁ କଚାଡ଼ି ମାରିଥିଲା । ନରହନ୍ତାକୁ କାବୁ କରିବାକୁ ଗୁରୁବାର ସନ୍ଧ୍ୟାରେ ବନବିଭାଗର ଉଚ୍ଚସ୍ତରୀୟ ଟିମ୍‌ ସମେତ ପୁଲିସଫୋର୍ସ ରାଧିକାଶୋଳରେ ପହଞ୍ଚିଥିଲେ । ନରହନ୍ତାକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ତାଲିମ୍‌ପ୍ରାପ୍ତ ଦକ୍ଷ ମାହୁନ୍ତଙ୍କ ସମେତ ନିଶ୍ଚେତକ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରିଥିଲେ । ପରେ ହାତୀଟିକୁ ଅତି ଚତୁରତାର ସହ ଟ୍ରାଙ୍କୁଲାଇଜ୍‌ କରିଥିଲେ । ଦନ୍ତାଟି ଶିମିଳିପାଳ ହାତୀ ବୋଲି ଜଣାପଡ଼ିଛି । ଶିମିଳିପାଳ ହାତୀ ଭଳି ଏହାର ଆକାର ଅପେକ୍ଷାକୃତ ଅନ୍ୟ ହାତୀ ତୁଳନାରେ ସାନ ହୋଇଥିଲେ ହେଁ ସ୍ୱଭାବ କିନ୍ତୁ ବେଶ୍‌ ଆକ୍ରମଣାତ୍ମକ ବୋଲି ବନ ବିଭାଗ କହିଛି । ତେବେ ଏହି ଦନ୍ତା ହାତୀକୁ କେଉଁଠି ଛଡ଼ାଯିବ ସେନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ବନବିଭାଗ ।

Exit mobile version