Site icon ଆଜିକାଲି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗାଁ ଗାଁରେ ଉତ୍ସାହ: ଘରକୁ ଘର ବୁଲି ସଂଗ୍ରହ ହେବ ଚାଉଳ ଗୁଆ

ଛତ୍ରପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିଆଡ଼େ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଦେଶର ଚାରିଧାମରୁ ଅନ୍ୟତମ ପୁରୀ ଶ୍ରୀମନ୍ଦିରର ରୂପାନ୍ତରୀକରଣ ଅନ୍ତର୍ଗତ ମନ୍ଦିର ଓ ଚତୁଃପାର୍ଶ୍ଵର ନବକଳେବର ପ୍ରକ୍ରିୟା ସମସ୍ତ ଭକ୍ତଙ୍କୁ ଆକୃଷ୍ଟ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନଙ୍କ ଏହି ବହୁ ପ୍ରତିକ୍ଷୀତ ଓ ସ୍ବପ୍ନର ମେଗା ଆଧ୍ୟାତ୍ମିକ ପ୍ରକଳ୍ପ ଆଗାମୀ ଦିନରେ ଓଡ଼ିଶାକୁ ବିଶ୍ବର ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ପରିଚୟ ପ୍ରଦାନ କରିବ। ଏହି ପ୍ରକଳ୍ପ ଲୋକାର୍ପଣ ଦୃଷ୍ଟିରୁ ରାଜ୍ୟର ସବୁ ପଞ୍ଚାୟତରେ ଶ୍ରୀଜଗନ୍ନାଥ ପ୍ରଚାର ରଥ ଘୁରି ବୁଲିବା ସହ ଘରକୁ ଘର ବୁଲି ଶ୍ରଦ୍ଧାଳୁଙ୍କ ଠାରୁ ଚାଉଳ ଓ ଗୁଆ ସଂଗ୍ରହ କରାଯିବ। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ସଂରକ୍ଷଣ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଭିମୁଖ୍ୟ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ଏ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ପ୍ରସ୍ତୁତି ବୈଠକ ହୋଇଯାଇଛି।

ଲୋକାର୍ପଣକୁ ହାତଗଣତି ଦିନ ରହିଥିବା ବେଳେ ଶୁକ୍ରବାରରୁ ଏଥିପାଇଁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଶ୍ରୀଜଗନ୍ନାଥ ପ୍ରଚାର ରଥ ବୁଲିବ। ଭଜନ କୀର୍ତ୍ତନ ହେବ। ଏ ନେଇ ଆଜି ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ବିଧାୟକ ସୁବାଷ ବେହେରାଙ୍କ ତତ୍ତ୍ଵାବଧାନରେ ହୋଇଥିଲା। କିପରି ଗୁଆ ଚାଉଳ ସଂଗ୍ରହ କରାଯିବ, ତାହାକୁ ପ୍ରଥମେ ପଞ୍ଚାୟତର କୌଣସି ଏକ ମନ୍ଦିରରେ ରଖାଯିବ, ପରେ ବ୍ଲକ୍ ମୁଖ୍ୟାଳୟସ୍ଥିତ କୌଣସି ମନ୍ଦିରରେ ରଖାଯାଇ ଜାନୁଆରି ୧୭ରେ ଏହି ଗୁଆ, ଚାଉଳକୁ ପୁରୀ ନିଆଯିବ ସେ ବାବଦରେ ଆଲୋଚନା କରାଯାଇଥିଲା। ଲୋକାର୍ପଣ ଉତ୍ସବକୁ ଯେପରି ରାଜ୍ୟବାସୀ ଦେଖିପାରିବେ ସେଥିପାଇଁ ପଞ୍ଚାୟତସ୍ତରରେ ଏଲ୍‌ଇଡି ଟିଭି ଲଗାଯାଇ ସିଧା ପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ଗାଁରୁ ଭକ୍ତ ଯେପରି ଏହି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ୍ ହେବେ ସେଥିପାଇଁ ଜନପ୍ରତିନିଧିମାନଙ୍କୁ ଆଗ୍ରହ କରାଯାଇଥିଲା। ବହୁ ନିର୍ବାଚିତ ଜନ ପ୍ରତିନିଧି ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ପୋଲସରା ବ୍ଲକ୍ କାର୍ଯ୍ୟାଳୟରେ ଏ ନେଇ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଯାଇଛି। ପ୍ରତି ପଞ୍ଚାୟତରେ ସଂକୀର୍ତ୍ତନ ମଣ୍ଡଳୀ ସହିତ ପରିକ୍ରମା ରଥ ବୁଲିବ। ସେଠାରେ ସମସ୍ତ ଶ୍ରଦ୍ଧାଳୁଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯାଇ ବ୍ଲକ୍ ମୁଖ୍ୟାଳୟକୁ ଅଣାଯାଇ ପୁରୀ ପଠାଯିବ। ବ୍ଲକର ମୋଟ ୨୬ଟି ପଞ୍ଚାୟତକୁ ଏଥିପାଇଁ ସମୁଦାୟ ୫୨ ଲକ୍ଷ ଟଙ୍କା ଅନୁଦାନ ଆସିଛି। ୩/୪ଟି ପଞ୍ଚାୟତକୁ ନେଇ ଏକ ରଥ ପରିକ୍ରମା କରିବ ବୋଲି ଧାର୍ଯ୍ୟ ହୋଇଛି।

Exit mobile version