Site icon ଆଜିକାଲି

ଓଡ଼ିଆ ସାହିତ୍ୟର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଅନୁବାଦର ଗୁରୁତ୍ଵ ଉପରେ ମତ ପ୍ରକାଶ

ଭୁବନେଶ୍ଵର – ଓଡ଼ିଆ ସାହିତ୍ୟକୁ ବିଶ୍ଵ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି । ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ଵକୁ ସବୁ ମହଲରେ ହୃଦୟଙ୍ଗମ କଲେ ଆମ ଭାଷା ଓ ସାହିତ୍ୟର ବ୍ୟାପକ ଅଭିବୃଦ୍ଧି ହେବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ଵ ପ୍ରସାରିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସଂପର୍କିତ ଆଲୋଚନା ସଭାରେ ଅତିଥି
ବକ୍ତାମାନେ ଉପରୋକ୍ତ ମର୍ମରେ ଅନୁବାଦର ଗୁରୁତ୍ଵ ନେଇ ମତ ରଖିଛନ୍ତି ।

ପ୍ରସିଦ୍ଧ ଅନୁବାଦକ ତଥା ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଲେ ଯେ ସଂସ୍କୃତି ଓ ସଭ୍ୟତାର ସମୃଦ୍ଧି ନିମନ୍ତେ ଅନୁବାଦର ଆବଶ୍ୟକ ହୋଇଥାଏ । ସଭ୍ୟତାର ବିକାଶ ପର୍ଯ୍ୟଟନ , ଗମନାଗମନ ଦ୍ଵାରା ହୋଇଥାଏ । ସାହିତ୍ୟ , ଭାଷା , ସଂସ୍କୃତି ଯଦି ଗମନାଗମନ ନକରନ୍ତି ତେବେ ଆମ ସାହିତ୍ୟ ବିଲୋପ ହୋଇଯିବ । ଓଡ଼ିଆ ଭାଗବତର ଇଂରାଜୀ ଓ ଅନ୍ୟ ଭାଷାରେ ଅନୂଦିତ ସଂସ୍କରଣ ପ୍ରକାଶ ପାଇବା ଆମ ପାଇଁ ନିଶ୍ଚିତ ଗର୍ବର ବିଷୟ । ସାହିତ୍ୟକୃତିର ଭ୍ରମଣରେ ସାହିତ୍ୟ ସମୃଦ୍ଧ ହୁଏ । ପାଶ୍ଚାତ୍ୟ ଆଙ୍ଗିକଗୁଡ଼ିକ ଓଡ଼ିଆ ସାହିତ୍ୟରେ ମିଶି ଏହାକୁ ଆହୁରି ଅଧିକ ସମୃଦ୍ଧ କରିଛନ୍ତି । ଫକୀର ମୋହନଙ୍କ ରଚିତ ବହୁ ସାହିତ୍ୟ କୃତି ଓ ମାୟାଧର ମାନସିଂହଙ୍କ ଉଦ୍ଧୃତ ଅନୁବାଦ ଖୁବ୍ ପାଠକୀୟ ଆଦୃତି ଲାଭ କରିଛି ।

ଖ୍ୟାତନାମା ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅନୁବାଦକ ପ୍ରଫେସର ଅଜୟ କୁମାର ପଟ୍ଟନାୟକ କହିଲେ ଯେ ଜଗତିକରଣ ପରେ ପୃଥ‌ିବୀରେ ଅନୁବାଦର ଗୁରୁତ୍ଵ ବଢ଼ିଯାଇଛି । ଓଡ଼ିଆ ସାହିତ୍ୟର ହିନ୍ଦୀ ଅନୁବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଏହି କ୍ଷେତ୍ରରେ ଦେଖା ଦେଉଥ‌ିବା ସମସ୍ୟା ଓ ସମାଧାନ ବିଷୟରେ ଅଧିକ ଧ୍ୟାନ ଦେଲେ ଓଡ଼ିଆ ସାହିତ୍ୟର ଅଧ‌ିକ ପରିମାଣରେ ଅନୁବାଦ ହୋଇପାରିବ । ଅନୁବାଦକ ସୋମେଶ ମହାପାତ୍ର କହିଲେ ଯେ ଜାଣିବା ଓ ଜଣାଇବା , ଶୁଣିବା ଓ ଶୁଣାଇବାର ଜିଜ୍ଞାସାରୁ ହିଁ ଅନୁବାଦର ସୃଷ୍ଟି । ଅନୁବାଦ ହେଉଛି ଉଭୟ ପଟକୁ ଖୋଲି ପାରୁଥିବା ଏକ ଝରକା । ବିଶ୍ଵର ଚାରୋଟି ଭାଷା – ଜର୍ମାନୀ , ସ୍ପାନିସ୍‌ , ଜାପାନୀ ଓ ଫ୍ରେଞ୍ଚରେ ୧୦୦ରୁ ଅଧିକ ଓଡ଼ିଆ କ୍ଷୁଦ୍ର ଗଳ୍ପ ଅନୁବାଦ ହୋଇଛି ।

ତରୁଣ ଲେଖକ , ଅନୁବାଦକ ତଥା ପ୍ରକାଶକ ଡକ୍ଟର ଶୁଭ୍ରାଂଶୁ ପଣ୍ଡା ଓଡ଼ିଆ ଭାଷାର ବିଶ୍ଵଯାତ୍ରା ନେଇ ପ୍ରକାଶକୀୟ ଦୃଷ୍ଟିଭଙ୍ଗୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅନୁବାଦକୁ ବୃତ୍ତି ଭାବରେ ଗ୍ରହଣ କରି ନୂଆ ପିଢ଼ି ଓଡ଼ିଆ ସାହିତ୍ୟର ଉନ୍ନତି କରିପାରିବ ଏବଂ ସେମାନେ ମଧ୍ୟ ଭାଷା- ସାହିତ୍ୟର ବିକାଶରେ ଅଂଶୀଦାର ହୋଇପାରିବେ । ବ୍ୟାସକବି ଫକୀର ମୋହନ ସେନାପତିଙ୍କ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଶିଷ୍ଟ ଅନୁବାଦକ ପ୍ରଫେସର ବିକ୍ରମ କେଶରୀ ଦାସ କହିଲେ ଯେ ଓଡ଼ିଆ ସାହିତ୍ୟକୁ ବିଶ୍ଵ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି । ଭାଷାର ମିଶ୍ରଣ ସ୍ଵାଭାବିକ । ଆଜିର ଯୁବ ପିଢ଼ି ଭାଷାର ଅର୍ଥକୁ ବୁଝି ତା’ର ସଠିକ୍ ମର୍ମରେ ଅନୁବାଦ କରିବା ଉଚିତ । ଅନୁବାଦ ଦ୍ଵାରା ଭାଷା ଓ ଭାବର ପରିବର୍ତ୍ତନ ହୁଏ । କିନ୍ତୁ ତାହାର ମୌଳିକତା ଅକ୍ଷୁର୍ଣ୍ଣ ରହିବା ନିହାତି ଆବଶ୍ୟକ । ଅନୁବାଦ ବହୁ ପ୍ରକାରର ହୋଇଥାଏ । ଯେପରିକି ଗ୍ରନ୍ଥ , ଲୋକକଳା , ସାହିତ୍ୟ ଓ ସଂସ୍କୃତିର ଅନୁବାଦକୁ ସାଂସ୍କୃତିକ ଅନୁବାଦ କୁହାଯାଏ ଏବଂ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ନିମନ୍ତେ ହେଉଥିବା ଅନୁବାଦକୁ ବୌଦ୍ଧିକ ଅନୁବାଦ କୁହାଯାଏ ।

ନୂଆ ଚିନ୍ତାଧାରାର ବିକାଶ ପାଇଁ ସାହିତ୍ୟର ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ ହେବା ଦରକାର ବୋଲି ପ୍ରଫେସର ଦାସ କହିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ତରୁଣ ସାହିତ୍ୟିକ ଡ . ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ଅର୍ଥପୂର୍ଣ୍ଣ ସଂଯୋଜନାରେ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଭାବୀ ହୋଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ର ଦେବେନ୍ଦ୍ର ଆଚାର୍ଯ୍ୟ ନିଜ ବକ୍ତବ୍ୟ ରଖିଥ‌ିବା ବେଳେ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Exit mobile version