Site icon ଆଜିକାଲି

ନବଙ୍କ ଗଙ୍ଗାଭୋଜି ପାଇଁ ବ୍ୟାପକ ପ୍ରସ୍ତୁତି, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଗଙ୍ଗା ଭୋଜି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ସରବାହାଲ ପଡିଆରେ ଏହି ଗଙ୍ଗାଭୋଜି ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ସେପଟେ ଏଥିରେ ୫୦ ହଜାର ଲୋକଙ୍କ ସମାଗମ ସମ୍ଭାବନା ରହିଛି।

ଆସନ୍ତାକାଲି ଦିବଂଗତ ନବ ଦାସଙ୍କ ଏକାଦଶାହ କର୍ମ। ସରବାହାଲ ହାଇସ୍କୁଲ ପଡିଆରେ ଏଥିପାଇଁ ବିଶାଳ ଟେଣ୍ଟ ନିର୍ମାଣ ହୋଇଛି। ତେବେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ଏକ ପ୍ରକାର ନିଶ୍ଚିତ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ହେଲେ ସରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଆଗମନର କୌଣସି ସୂଚନା ଏଯାଏଁ ପ୍ରାପ୍ତ ହୋଇନାହିଁ। ସେହିପରି ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ମନ୍ତ୍ରୀ, ବିଧାୟକ, ସାଂସଦ, ବିରୋଧୀ ଦଳ ନେତା, ବିଭିନ୍ନ ରାଜନୈତିକ ଦଳର ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି। ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ରାଉରକେଲା ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ସାରଦା ପ୍ରସାଦ ନାୟକ, କଟକ ମହାନଗରର ମେୟର ସୁବାସ ସିଂ, ବିଷ୍ଣୁ କେଡ଼ିଆ ପ୍ରମୁଖ ଝାରସୁଗୁଡ଼ାରେ କ୍ୟାମ୍ପ କରି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଥିବା ଦେଖାଯାଇଛି। ଅପରପକ୍ଷେ, ପୁଅ ବିଶାଳ ଗତକାଲି ପ୍ରୟାଗରାଜରେ ବାପାଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟ ସଂପନ୍ନ କରିଛନ୍ତି।

FacebookTwitterLinkedinWhatsapp
Exit mobile version