Site icon ଆଜିକାଲି

କାରଖାନାରେ ଦୁର୍ଘଟଣା: ଅକ୍ସିଜେନ ସିଲିଣ୍ଡର ଫାଟି ୩ ଗୁରୁତର



କେନ୍ଦୁଝର, (ବ୍ରଜକିଶୋର ରାୟ) କେନ୍ଦୁଝର ଜିଲା ବଡବିଲ-ବଲାଣି ରାସ୍ତା ମାଟକାମବେଡାରେ ଥିବା ଆରିୟା ଆଇରନ୍‌ ଏଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡରେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ୩ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ପ୍ଲାଣ୍ଟର କର୍ମଚାରୀ ପ୍ରେମ ଶଙ୍କର ଶର୍ମା, ବଡବିଲ ସାଧୁସିଂହ ହଟିଂ ଅଞ୍ଚଳର କ୍ରିଷ୍ଣା ଦାସ ଓ କରନ ମହାନ୍ତ । ମିଳିଥିବା ସୂଚନା ଅନୁଯାୟୀ, ଏକ ଗ୍ୟାସ ଏଜେନ୍ସି ପକ୍ଷରୁ ପ୍ଲାଣ୍ଟକୁ ଅକ୍ସିଜେନ ସିଲିଣ୍ଡର ଯୋଗାଣ ହୋଇଥାଏ । ରବିବାର ଅପରାହ୍ନରେ ଏଜେନ୍ସି ପକ୍ଷରୁ ଅକ୍ସିଜେନ ସିଲିଣ୍ଡର ପ୍ଲାଣ୍ଟକୁ ଯୋଗାଇ ଦିଆଯାଇଥିଲା। ଏଜେନ୍ସିର ଦୁଇ ଜଣ କର୍ମଚାରୀ କ୍ରିଷ୍ଣା ଓ କରନଙ୍କ ସହିତ ପ୍ଲାଣ୍ଟର କର୍ମଚାରୀ ପ୍ରେମ ଗାଡିରୁ ସିଲିଣ୍ଡର ଅନ୍‌ଲୋଡ କରୁଥିଲେ । ସେତିକିବେଳେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇ ଫାଟି ଯାଇଥିଲା । ଫଳରେ ସିଲିଣ୍ଡର ନିକଟରେ ଥିବା ୩ଜଣ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ କମ୍ପାନୀର ଅଧିକାରୀ ପ୍ରବେଶ ପାଣ୍ଡେଙ୍କୁ ପଚାରିବାରୁ ଗାଡିରୁ ଅକ୍ସିଜେନ ସିଲିଣ୍ଡର ଅନ୍‌ଲୋଡ ବେଳେ ଅସାବଧାନତା ହେତୁ ଏହି ଘଟଣା ଘଟିଛି। ଆହତଙ୍କୁ ଚିକିତ୍ସା ନିମନ୍ତେ କମ୍ପାନୀ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି।

Exit mobile version