Site icon ଆଜିକାଲି

ଫକୀରମୋହନ ମେଡିକାଲ କଲେଜ ହସପିଟାଲରେ ରୋଗୀସେବାର ଅବ୍ୟବସ୍ଥା ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର : ଫକୀରମୋହନ ମେଡିକାଲ କଲେଜ ହସପିଟାଲରେ ସ୍ୱାସ୍ଥ୍ୟସେବା ଏକ ବିପର୍ଯ୍ୟୟ ଅବସ୍ଥାକୁ ଚାଲିଯାଇଛି ବୋଲି ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି । ଶନିବାର ଅପରାହ୍ନରେ ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ପ୍ରଦୀପ ଦାସ ସରକାରୀ ସ୍ୱାସ୍ଥ୍ୟସେବା ପାଇବା ପାଇଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଉପସ୍ଥାପିତ କରିଥିଲେ । ଗତ ସପ୍ତାହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ରେମୁଣାରେ ଫକୀରମୋହନ ମେଡିକାଲ କଲେଜ ସଂଲଗ୍ନ ୬୫୦ ଶଯ୍ୟାବିଶିଷ୍ଟ ନିର୍ମାଣାଧିନ ହସପିଟାଲକୁ ମାତ୍ର ୪ଟି ବିଭାଗକୁ ତରବରିଆ ଭାବେ ସ୍ଥାନାନ୍ତର କରାଯାଇଥିବାରୁ ରୋଗୀମାନେ ଜିଲ୍ଲା ମୁଖ୍ୟ ହସପିଟାଲରୁ ମେଡିକାଲ୍ କଲେଜ୍ ହସପିଟାଲକୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଯାତାୟତ କରିବାରେ ବ୍ୟାଘାତ ସୃଷ୍ଟି ହେଉଛି । ମେଡିକାଲ କଲେଜ୍ ସଂଲଗ୍ନ ହସପିଟାଲର ନିର୍ମାଣକାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ବର୍ଷା ସମୟରେ ବହିର୍ବିଭାଗରେ ଚିକିତ୍ସାପାଇଁ ଅପେକ୍ଷା କରିଥିବା ରୋଗୀମାନେ ବର୍ଷାପାଣିରେ ଭିଜି ଯାଉଛନ୍ତି । ହସପିଟାଲକୁ ଏକମାତ୍ର ପ୍ରବେଶ ପଥ ସନ୍ଧ୍ୟା ପରେ ସଂପୂର୍ଣ୍ଣ ଅନ୍ଧାରରେ ରହୁଛି । ଜାତୀୟ ରାଜପଥରୁ ମୁଖ୍ୟ ରାସ୍ତା ପାଇଁ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣ ନିମିତ୍ତ ପ୍ରକ୍ରିୟା ଆରମ୍ଭ ବି ହୋଇନାହିଁ । ମେଡିକାଲ କଲେଜ୍ ହସପିଟାଲରେ ଥିବା ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ରୋଗୀମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି । ନୂତନ ହସପିଟାଲରେ କେଉଁ ବିଭାଗର ରୋଗୀ କେଉଁ କୋଠରୀରେ ଚିକିତ୍ସିତ ହେଉଛନ୍ତି ବା ଚିକିତ୍ସିତ ହେବେ ସେଥିପାଇଁ କୌଣସି ମାର୍ଗଦର୍ଶିକା କିମ୍ବା ସୂଚନା ଫଳକ ନାହିଁ । ବାଲେଶ୍ୱରରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେବାର ଛଅବର୍ଷ ପରେ ବି ହୃଦରୋଗ, ସ୍ନାୟୁରୋଗ ଓ ମୁତ୍ରାଶୟ ରୋଗ ପ୍ରଭୃତି ଗୁରୁତର ରୋଗର ଚିକିତ୍ସକ ନଥିବାରୁ ପୂର୍ବଭଳି ରୋଗୀମାନଙ୍କୁ କଟକ-ଭୁବନେଶ୍ୱର ଯିବାକୁ ପଡ଼ୁଛି ବୋଲି ସଂପାଦକ ଶ୍ରୀଦାସ ଅଭିଯୋଗ କରିଥିଲେ । ରାଜ୍ୟ ସରକାର ଓ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ବହୁବାର ଅଭିଯୋଗ ଦେଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ହୋଇପାରିନାହିଁ ।
ଗତବର୍ଷ ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଆଶୁ ଚିିକିତ୍ସା ଯୋଗାଇ ଦେଇଥିବା ପ୍ରଥମ ବ୍ୟାଚର ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଂବର୍ଦ୍ଧିତ କରିବା ପ୍ରସ୍ତାବକୁ ମେଡିକାଲ କଲେଜର ପ୍ରଶାସକମାନେ ବିଭିନ୍ନ ଆଳରେ ବିଳମ୍ବିତ କରିଚାଲିଛନ୍ତି । ସରକାରୀ ସ୍ୱାସ୍ଥ୍ୟସେବା ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜନଗଣଙ୍କ ସହଯୋଗ ନିମିତ୍ତ ନିବେଦନ କରୁଥିବାବେଳେ ଏହି ଅଧିକାରୀମାନଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ସରକାରୀ ସ୍ୱାସ୍ଥ୍ୟସେବାରେ ହତାଶ ହୋଇ ବହୁ ରୋଗୀ ଘରୋଇ ଚିକିତ୍ସାଳୟରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ସୀତାରାମ ପ୍ରଧାନ, ଦୀନବନ୍ଧୁ ଲେଙ୍କା, ଇଂ. ହୃଷିକେଶ ସାହୁ, ନିରଞ୍ଜନ ରାଉତ, ଗୌରାଙ୍ଗ ପାଣିଗ୍ରାହୀ, ଦାମୋଦର ନାୟକ, ଇଂ. ବନମାଳୀ ନାୟକ, ଡ. କେଶବ ଚରଣ ପଣ୍ଡା, ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରମିତା ଦାସ, ଶ୍ୟାମସୁନ୍ଦର ଜେନା ଓ ଯଶୋଦାନନ୍ଦନ ଆଶ୍ ପ୍ରମୁଖ ଜିଲ୍ଲାସ୍ତରରେ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଥିଲେ । ଚଳିତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଜିଲ୍ଲାସ୍ତରୀୟ ସମାବେଶ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ସମସ୍ତ ଅଞ୍ଚଳ, ବ୍ଲକ୍ ଓ ଶାଖା କମିଟିର ସଭ୍ୟସଭ୍ୟା ଏହି ଆନ୍ଦୋଳନରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଛି । ଅତୀତରେ ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନରେ ସହଯୋଗ ପ୍ରଦାନ କରିଆସିଥିବା ସମସ୍ତ ଗଣସଂଗଠନ ଏହି ଆନ୍ଦୋଳନରେ ଯୋଗଦେବାକୁ ବୈଠକରେ ନିବେଦନ କରାଯାଇଛି । ଏହି ବୈଠକରେ ଡା. ତାରାକାନ୍ତ ନନ୍ଦ, ରବିନାରାୟଣ ଭୋଳ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଭାଗିରଥୀ ମହାନ୍ତି, କମଳାକାନ୍ତ ନାୟକ ଓ ବିଜନ ଦେ ପ୍ରମୁଖ ଉପସ୍ଥିତ ଥିଲେ । ବନ୍ଦନା ବିଶ୍ୱାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Exit mobile version